କଟକ: ଇତିହାସ ରଚିଲା କଟକ ବଡ଼ମେଡିକାଲ । ପ୍ରଥମଥର ପାଇଁ ଏସସିବିରେ କାଡାଭେରିକ ଟ୍ରାନସ୍ପ୍ଲାଣ୍ଟ କରାଯାଇଛି। କିଡନୀ ହରାଇଥିବା ଜଣେ ଯୁବକ ଏହା ଦ୍ବାରା ନୂତନ ଜୀବନ ପାଇଛନ୍ତି।
ମୃତ ଘୋଷିତ ପ୍ରିୟଙ୍କା ପାତ୍ର ନାମକ ଯୁବତୀଙ୍କ କିଡନୀକୁ ଭୁବନେଶ୍ବର ଆପୋଲ ହସପିଟାଲରୁ ଅଣାଯାଇ ଯୁବକଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ସାଧାରଣତଃ ଜଣେ ମୃତ ବ୍ୟକ୍ତିଙ୍କ ଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟଜଣଙ୍କ ଠାରେ ପ୍ରତିରୋପଣ କରିବା ବ୍ୟବସ୍ଥା ଓଡିଶା ତଥା କଟକ ବଡ଼ ମେଡିକାଲ ଇତିହାସରେ ନୂଆ ଆଉ ପ୍ରଥମ।
ଗତ ୨୭ ତାରିଖରେ ଏକ ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଗୁରୁତର ଆହତ ହୋଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଆପୋଲ ଡାକ୍ତର ପ୍ରିୟଙ୍କାଙ୍କ ମସ୍ତିଷ୍କ ମୃତ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ । ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାପାଇଁ ସମ୍ମତି ପ୍ରଦାନ କରିଥିଲେ।
ଏନେଇ ଆପୋଲ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ସ୍ବାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇଥିଲେ। ବିଳମ୍ବିତ ରାତିରେ କଟକ ବଡ ମେଡିକାଲର ଏକ ଡ଼ାକ୍ତରୀଦଳ ଆପୋଲ ହସ୍ପିଟାଲକୁ ଯାଇ ପ୍ରିୟଙ୍କାଙ୍କ ଶରୀରରୁ କିଡନୀ କାଢି ମେଡିକାଲକୁ ଆଣିଥିଲେ।
ବିଳମ୍ବିତ ରାତିରେ ଏହି କିଡନୀକୁ ଆବଶ୍ୟକ ଥିବା ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିଥିଲେ ଏସସିବି ଡାକ୍ତର। ଅନ୍ୟପଟେ ଏଭଳି କାମକୁ ନେଇ ପ୍ରିୟଙ୍କାଙ୍କୁ ପ୍ରସଂଶା କରିଛନ୍ତି କିଡନୀ ପ୍ରତ୍ୟାରୋପଣ ହୋଇଥିବା ଯୁବକଙ୍କ ପରିବାର ଲୋକ। ପ୍ରିୟଙ୍କା, ରାଜ୍ୟ ସରକାର, ଡାକ୍ତରଙ୍କ ପାଇଁ ପୁଅ ନୂଆ ଜୀବନ ପାଇଥିବା କହିଛନ୍ତି ଯୁବକଙ୍କ ପରିବାର । ଏନେଇ ଯେତେ ପ୍ରଶଂସା ଦେଲେ ତାହା କମ ବୋଲି ଯୁବକଙ୍କ ବାପା ମା କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ