କଟକ: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ନଦୀ ପଠାରେ ଫସି ରହିଥିବା ଗାଈ ଗୋରୁଙ୍କ ସେବା ପାଇଁ ଟିମ ପଠାଇଲା ପ୍ରଶାସନ । ସେହିପରି ସ୍ୱେଚ୍ଛାସେବୀ ସଂଗଠନ ଗାଈ ଗୋରୁଙ୍କ ସେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ବଡ଼ କଥା ହେଉଛି ନଦୀ ପଠାରେ ବନ୍ୟା ଜଳ ଭିତରେ ଫସି ରହିଥିବା ଗାଈ ଗୋରୁଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରୁ ନଥିବାରୁ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ଅଗ୍ନିଶମ କର୍ମଚାରୀଙ୍କ ସାହାଯ୍ୟରେ ଗାଈ ଗୋରୁଙ୍କ ପାଇଁ ଘାସ, ଚୋକଡ଼, ନଡା ଆଦିକୁ ପଠାଯାଇଛି । ଅଗ୍ନିଶମ ବିଭାଗର ୬ ଜଣ କର୍ମଚାରୀ ସେମାନଙ୍କ ବୋଟ ମାଧ୍ୟମରେ ଗାଈ ଗୋରୁଙ୍କ ଖାଦ୍ୟକୁ ସାଥିରେ ନେଇ ପଠା ନିକଟକୁ ଯିବା ସହ ଏକ ମେଡିକାଲ ଟିମ ମଧ୍ୟ ଗାଈଙ୍କ ସ୍ବାସ୍ଥ୍ଯ ପରୀକ୍ଷା ପାଇଁ ଯାଇଥିଲେ । କାଠଯୋଡ଼ି ନଦୀରେ ଜଳସ୍ଥର ଅଧିକ ଥିବାରୁ ଏହି ଉଧାର ପ୍ରକ୍ରିୟା ସମ୍ଭବ ପର ହୋଇପାରୁ ନାହିଁ। କେବଳ ସେତିକି ନୁହେଁ,ଆଉ ମାତ୍ର ଦିନକ ପରେ ହୀରାକୁଦର ପାଣି ପହଞ୍ଚିବ। ଯେଉଁ କାରଣରୁ ଗୋରୁମାନଙ୍କୁ ଉଦ୍ଧାର କରିବା ସମ୍ଭବ ନୁହେଁ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି । ଫସି ଥିବା ଗାଈଗୋରୁଙ୍କୁ ଉଦ୍ଧାର କରିବା ପାଇଁ ଟିମ ଯାଇଥିଲା । ମାତ୍ର ଗୋରୁମାନଙ୍କୁ ଆଣିବା ସମ୍ଭବ ପର ହେଉନାହିଁ । ତେବେ ଗାଈ ମାଲିକମାନେ ନଥିବାରୁ ଗାଈମାନେ କୂଳକୁ ଆସୁ ନାହାଁନ୍ତି । ଯାହାକି ବଡ଼ ସମସ୍ୟା ସୃଷ୍ଟି କରିଛି । ତେବେ ଗାଈମାନଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି ।
ଅଧିକ ପଢନ୍ତୁ: ଚରିବାକୁ ଯାଇ ନଦୀ ପଠାରେ ଫସିଗଲେ ୪୦ଟିକିଆ ଗାଈପଲ, କେମିତି ହେବେ ଉଦ୍ଧାର ?
ନଦୀରେ କିପରି ଫସିଲେ ଗାଈପଲ: ସ୍ଥାନୀୟବାସୀଙ୍କ ସୂଚନା ଅନୁଯାୟୀ, କଟକ ସିଡ଼ିଏ ସେକ୍ଟର ୮ରେ ଥିବା ଜଜ୍ପଠାରେ ଫସି ଯାଇଛନ୍ତି ଗାଈ ପଲ । ନଦୀରେ ବନ୍ୟାଜଳ ଆସିବା ପୂର୍ବରୁ ପ୍ରାୟ ୩୦ରୁ ୪୦ ଗାଈ ସେଠାକୁ ଚରିବାକୁ ଯାଇଥିଲେ । ମାତ୍ର ବନ୍ୟା ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ଆଉ କୂଳକୁ ଫେରି ପାରିନଥିଲେ । କାରଣ ପଠା ଚାରି ପଟେ ଜଳସ୍ତର ବେଶ ଅଧିକ ରହିଥିଲା । ଫଳରେ 4 ଦିନ ଧରି ଗାଈମାନେ ସେଠାରେ ଫସି ରହିଛନ୍ତି । ତେବେ ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷପ ଗ୍ରହଣ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଟକ