କଟକ: ପାର୍ବଣ ପୂର୍ବରୁ କଟକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡକାୟତ ମଙ୍ଗୁ ମହାରଣାକୁ ଏନକାଉଣ୍ଟର କରିଛି କଟକ କମିଶନରେଟ ପୋଲିସ । ଗତକାଲି (ଶୁକ୍ରବାର) ରାତିରେ ସଦର ଅଞ୍ଚଳରେ ତାକୁ ଏନକାଉଣ୍ଟର କରାଯାଇଛି । ଏଥିରେ ମଙ୍ଗୁର ବାମ ଗୋଡର ଠିକ୍ ଆଣ୍ଠୁ ଉପରକୁ ଗୁଳି ବାଜିିଛି । ଆହତ ଅବସ୍ଥାରେ ତାକୁ ଏସସିବି କାଜୁଆଲିଟିରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମଙ୍ଗୁ ସମ୍ପୃକ୍ତ ଥିଲା । ଏହି ଘଟଣା ପରେ ସେ ଫେରାର୍ ରହିଥିଲା ।
କନ୍ଦରପୁର ଡକାୟତି ଘଟଣାରେ ତାକୁ ଧରିବା ପାଇଁ ପୋଲିସ ଟିମ୍ ଯାଇଥିଲା । ହେଲେ ସେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା । ଫଳରେ ପୋଲିସ ମଧ୍ୟ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା । ପୋଲିସର ଗୁଳିମାଡରେ ମଙ୍ଗୁ ଆହତ ହୋଇଥିଲା । ତା'ର ବାମଗୋଡରେ ଗୁଳି ବାଜିଥିଲା । ଏହାପରେ ପୋଲିସ ତାକୁ କାବୁ କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆଣିଥିଲା । ଏବେ ସେ ଏସସିବିରେ ଚିକିତ୍ସାଧୀନ ରହିଛି । ତେବେ ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଅନେକ ଡକାୟତି ଘଟଣାରେ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ
ସେ ଅନେକ ଡକାୟତି ଓ ଅପରାଧିକ ଘଟଣାରେ ସାମିଲ ଥାଏ । ମାତ୍ର ପୋଲିସକୁ ଚକମା ଦେଇ ଖସି ପଳାଇ ଯାଇଥାଏ । ଡକାୟତି ସମୟରେ ସେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାଏ । ଲୋକଙ୍କୁ ଲୁହାରଡରେ ଆକ୍ରମଣ କରି ଡକାୟତି କରିବାର ତା' ବିରୋଧରେ ଅଭିଯୋଗ ରହିଛି । ଅନେକ ଦିନ ପରେ କଟକ କମିଶନରେଟ ପୋଲିସରେ ଏନକାଉଣ୍ଟର ହୋଇଛି । ବିଶେଷକରି ପାର୍ବଣ ପୂର୍ବରୁ ଏହି ଏନକାଉଣ୍ଟର ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଇପାରେ ।
ପ୍ରକାଶ ଥାଉକି, କିଛି ଦିନ ତଳେ ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଶଙ୍କରେଶ୍ବର ଜଙ୍ଗଳରେ ପୋଲିସର ଏନକାଉଣ୍ଟର ହୋଇଥିଲା । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ ହୋଇଥିଲା । ଅପରାଧୀର ବାମଗୋଡରେ ଗୁଳି ବାଜିଥିବା ବେଳେ ପୋଲିସ ତାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ପିନୁ ବନ୍ଧୁକ ଧରି କୌଣସି ଅପରାଧ ଘଟାଇବାକୁ ପୁରୀ ଆସୁଥିବା ବେଳେ ବାସେଳି ସାହି ଥାନା ଅଧିକାରୀ ଖବର ପାଇଥିଲେ । ଏହାପରେ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ ।
ଇଟିଭି ଭାରତ, କଟକ