କଟକ: ଜୁନ 15 ମଧ୍ୟରେ ସହରରେ ସରିବ ପଙ୍କ ଉଦ୍ଧାର କାର୍ଯ୍ୟ । ଏଣିକି ମୌସୁମୀ ବର୍ଷା ସମୟରେ ଜଳବନ୍ଦୀ ହେବନି କଟକ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପଙ୍କ ଉଦ୍ଧାର କାର୍ଯ୍ୟ । କଟକର ମୁଖ୍ୟ ଡ୍ରେନ୍ ଓ ଶାଖା ଡ୍ରେନ ସବୁ ଡ୍ରେନ୍ରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ଗତ 2022ରେ ଯେପରି ପଙ୍କ ସଫା ହୋଇଥିଲା, ସେହି ଅନୁସାରେ ନୂଆ ଯୋଜନା ଆଧାରରେ ଚଳିତବର୍ଷ ଡ୍ରେନ୍କୁ ସଫା କରଯାଉଛି ।
ବିଗତ ଦିନ ମାନଙ୍କରେ କଟକରେ ବର୍ଷା ସମୟରେ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇଥିଲା । ବିଶେଷକରି କଟକର ପ୍ରମୁଖ ଛକ, ସାହି, ଗଳିକନ୍ଦିରେ ଜଳବନ୍ଦୀ ସମସ୍ୟା ଉପୁଜି ଥିଲା । ପାଣି ଛାଡିବା ପାଇଁ ମଧ୍ୟ ବିଳମ୍ବ ଦେଖାଦେଇଥିଲା । କିନ୍ତୁ ସିଏମସିର ନୂଆ ପ୍ରତିନିଧି ବିଗତ ବର୍ଷ ଠାରୁ ପଙ୍କ ଉଦ୍ଧାର କାର୍ଯ୍ୟ କରିବା ପାଇଁ ନୂଆନୂଆ ଯୋଜନା ହାତକୁ ନେଇଛନ୍ତି । ଗତ ବର୍ଷ ମଧ୍ୟ ମୌସୁମୀ ସମୟରେ ପ୍ରବଳ ବର୍ଷା ହେଉଥିଲା । କିନ୍ତୁ ପାଣି ସଙ୍ଗେସଙ୍ଗେ ଡ୍ରେନ୍ ମାଧ୍ୟମରେ ଖସି ଯାଉଥିଲା । ଏହାକୁ ତ୍ୱରିତ ଢଙ୍ଗରେ ସମ୍ପାଦିତ କରିବା ପାଇଁ ଚଳିତବର୍ଷ ମଧ୍ୟ ବେଶ କ୍ଷୀପ୍ରଗତିରେ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଏନେଇ କାଉନସିଲ ବୈଠକରେ ବିରୋଧୀ ଦଳ କର୍ପୋରେଟର ପ୍ରଶ୍ନ ଉଠାଇଥିଲେ । ସଠିକ ସମୟ ଓ ଢ଼ଙ୍ଗରେ ପଙ୍କ ଉଦ୍ଧାର ହେଉ ନଥିବା ଅଭିଯୋଗ ହୋଇଥିଲା ।
ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ଯେଉଁ ସ୍ଥିତି ଦେଇ ବର୍ତ୍ତମାନ କଟକର ସମସ୍ତ ଡ୍ରେନ୍ ଗତି କରୁଛି ସେଥିରୁ ଜଣାପଡୁଛି କଟକ ଚଳିତବର୍ଷ ଜଳବନ୍ଦୀ ସମସ୍ୟାରୁ ଦୂରେଇ ରହିବ । ଅର୍ଥାତ ଭାରି ବର୍ଷା ସମୟରେ କଟକରେ ପାଣି ହେବ କିନ୍ତୁ ସଙ୍ଗେସଙ୍ଗେ ଡ୍ରେନ ମାଧ୍ୟମରେ ନିଷ୍କାସିତ ହୋଇଯିବ । ଏହାସହ ଯେଉଁ ତଳିଆ ଅଞ୍ଚଳ ରହିଛି ସେଠାରେ ମଧ୍ୟ ପମ୍ପ ସେଟ୍ ମୁତୟନ କରାଯିବ । ଯାହାଦ୍ୱାରା ବର୍ଷା ଜଳ ଆହୁରି ଶୀଘ୍ର ନିଷ୍କାସିତ ହୋଇଯିବ । ତେଣୁ ଜୁନ୍ 15 ମଧ୍ୟରେ ସବୁ ଡ୍ରେନ୍ ସଫା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । କଟକର ପ୍ରମୁଖ ଛକ ଯେପରି ରୋଭର ଷ୍ଟ୍ରିଟ୍, ସୁତାହାଟ, କାଜି ବଜାର, ମିଶନ ରୋଡ଼, ବାଦାମବାଡ଼ି, ରକ୍ସିଲେନ୍ରେ ବିଶେଷ ଭାବରେ ଜଳବନ୍ଦୀ ସମସ୍ୟା ଉପୁଜିଥାଏ । କିନ୍ତୁ ଗତ ବର୍ଷ ଯୋଜନାରେ ଏହି ସ୍ଥାନମାନଙ୍କରେ ସେତିକି ମାତ୍ରାରେ ଜଳବନ୍ଦୀ ହୋଇନଥିଲା । ଚଳିତବର୍ଷ ମଧ୍ୟ ନୂଆ ଯୋଜନା ଆଧାରରେ ଜଳବନ୍ଦୀ ହେବାର ସମ୍ଭାବନା କମ ବୋଲି କହିଛନ୍ତି ମେୟର ।"
ଇଟିଭି ଭାରତ, କଟକ