କଟକ: ଆଜି ମହାଶିବରାତ୍ରୀ । ଦୀର୍ଘ ଦୁଇବର୍ଷ ପରେ କୋରୋନା କଟକଣାରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ । ବାବା ଧବଳେଶ୍ବର ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା । ବାବାଙ୍କୁ ଆଜି ବିଭିନ୍ନ ବେଶରେ ସଜାଇଛନ୍ତି ପୂଜକ । ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି । ମନୋସ୍କାମନା ପୂରଣ ପାଇଁ ବାବଙ୍କ ପୀଠକୁ ଛୁଟୁଛି ଭକ୍ତଙ୍କ ସୁଅ ।
ସକାଳୁ ସକାଳୁ ହିଁ ଭକ୍ତଙ୍କ ଆଗମନ ମନ୍ଦିର ପରିସରକୁ ଆରମ୍ଭ ହୋଇଯାଇଛି । ବାବାଙ୍କ କରୁଣା ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଝୁଲାପୋଲ ମରାମତି ଅବସ୍ଥାରେ ରହିଥିବାରୁ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ବର ପୀଠକୁ ଆସୁଛନ୍ତି । ଶଙ୍ଖ ହୁଳହୁଳି, ହରିବୋଲ, ହର ହର ମହାଦେବ ନାଦରେ କମ୍ପୁଛି ମନ୍ଦିର ପରିସର ।
ଏହା ମଧ୍ୟ ପଢନ୍ତୁ: ବୋତଲ ଭିତରେ ମହାଦେବଙ୍କ ପ୍ରତିମୂର୍ତ୍ତି କରି ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ଖୋର୍ଦ୍ଧା ଶିଳ୍ପୀ
କଟକର ସମସ୍ତ ଶୈବ ମନ୍ଦିର ମଧ୍ୟରେ ଅନ୍ୟତମ ହେଉଛନ୍ତି ବାବା ଧବଳେଶ୍ବର । ବାବା ଧବଳେଶ୍ବରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହେଉଛି ଜାଗର । ତେବେ ଆଜିର ଦିନରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ମନ୍ଦିର ପ୍ରଶାସକ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସମୟ ଗଡ଼ିବା ସହ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଅସ୍ଥାୟୀ ରାସ୍ତାରେ ରାତ୍ରି ସମୟ ପାଇଁ 15 ଟି ଆସ୍କା ଲାଇଟ ମହଜୁତ ରଖାଯାଇଛି । ଏହାଛଡ଼ା 8 ଜଣ ମାଜିଷ୍ଟ୍ରେଟ ନିୟୋଜିତ ରହିଛନ୍ତି । ଗାଡି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେପରି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନେହେବେ ସେ ଦିଗରେ ଧ୍ୟାନ ରଖିଛି କଟକ ଜିଲ୍ଲା ପ୍ରଶାସନ । ତେବେ ବିଗତ ଦୁଇବର୍ଷ କୋଭିଡ କଟକଣା ପାଇଁ କୌଣସି ମେଳା କିମ୍ବା ଯାନିଯାତ୍ରାର ଆୟୋଜନ କରାଯାଇନଥିଲା । ତେବେ ଚଳିତବର୍ଷ କୋଭିଡ ନଥିବାରୁ ଜାଗର ପାଳନ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ତେଣୁ ଭକ୍ତମାନ ମଧ୍ୟ ରାତି ନପାହୁଣୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି । କେବଳ କଟକ ନୁହଁ ବରଂ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହେଉଛି।
ଇଟିଭି ଭାରତ, କଟକ