ନିଆଳି: ରାଜ୍ୟ ସରକାରଙ୍କ ଓମଫେଡ ଜରିଆରେ ଦୁଗ୍ଧ ଚାଷୀ(Dairy farmer) ମାନଙ୍କୁ ମାରଣ ନୀତି ବିରୁଦ୍ଧରେ ମେଳି ହେଲେ ଶତାଧିକ ଦୁଗ୍ଧ ଚାଷୀ । କଟକ ଜିଲ୍ଲାର ନିଆଳି ଓ କଣ୍ଟାପଡ଼ା ବ୍ଲକ ଅଞ୍ଚଳର ଚାଷୀମାନେ ଏକାଠି ହୋଇଥିଲେ । ଅପୂଜା ନିକଟରେ ଏକ ଚାଷୀ ସମ୍ମିଳନୀରେ ରାଜ୍ୟ ଦୁଗ୍ଧ ଚାଷୀ ଅଧ୍ଯକ୍ଷ ରବି ବେହେରା ଯୋଗ ଦେଇ କହିଛନ୍ତି, ରାଜ୍ୟ ସରକାର ଓମଫେଡ ଜରିଆରେ ବିଭିନ୍ନ ସମୟରେ ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଦୁଗ୍ଧ ଜାତୀୟ ଦ୍ରବ୍ୟର ଦରଦାମ ରାଜ୍ୟ ସରକାର ବଢାଉଥିଲେ ସୁଦ୍ଧା ଦୁଗ୍ଧ ଚାଷୀ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ କି ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇ ନାହିଁ ।
ଫଳରେ କଣ୍ଟାପଡ଼ା ଓ ନିଆଳି ଅଞ୍ଚଳରେ ଲକ୍ଷାଧିକ ଦୁଗ୍ଧ ଚାଷୀ ବିଭିନ୍ନ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ଦୁଇ ବ୍ଲକ ଅଞ୍ଚଳରୁ ପ୍ରତ୍ୟେକ ଦିନ ପାଖାପାଖି ଦୁଇ ଲକ୍ଷ ଦୁଗ୍ଧ ଉତ୍ପାଦନ ହୁଏ ଏବଂ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହୁଏ । ମାତ୍ର, ଏପର୍ଯ୍ୟନ୍ତ ଦୁଗ୍ଧ ଚାଷୀ ମାନଙ୍କ ସମସ୍ୟା ସମାଧାନ ହୋଇପାରୁ ନାହିଁ । ଦିନକୁ ଦିନ ଗୋ-ଖାଦ୍ଯ ଦର ବଢୁଛି, ସେହି ଅନୁପାତରେ ଚାଷୀଙ୍କ ଉତ୍ପାଦିତ ଦୁଗ୍ଧ ମୂଲ୍ଯରେ କୌଣସି ପରିବର୍ତ୍ତନ ହେଉନାହିଁ । ଫଳରେ ଆଗାମୀ ଦିନରେ ସମସ୍ତ ଦୁଗ୍ଧ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଦୁଗ୍ଧ ସଂଘର ଅଧ୍ଯକ୍ଷ ରବି ବେହେରା ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ