କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ । ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । କଟକ ସାଇବର ଥାନାରେ ଅଭିଯୋଗ କଲେ ବୃଦ୍ଧ । ବୃଦ୍ଧଙ୍କଠାରୁ ପ୍ରାୟ ୨୦ ଲକ୍ଷ ୬୨ ହଜାର ଟଙ୍କାର ଠକେଇ କଲେ ସାଇବର ଠକ । ଜଣେ ଯୁବତୀଙ୍କ ସହ ଫେସ୍ବୁକରେ ବନ୍ଧୁତା ଓ ପରେ ହ୍ବାଟ୍ସ୍ଆପ୍ରେ ଚାଟିଂ କରୁଥିଲେ ବୃଦ୍ଧ । ନିଜକୁ ସୁନା ବ୍ୟବସାୟୀ ପରିଚୟ ଦେଇ ବନ୍ଧୁତା କରିଥିଲା ଅଜଣା ଯୁବତୀ । ବିଦେଶରୁ ସୁନା ପଠାଇବ କହି ବୃଦ୍ଧଙ୍କ ଠାରୁ ନେଇଗଲା ଟଙ୍କା । ୨୦୧୮ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ଠକେଇର ଶିକାର ହୋଇଛନ୍ତି ଏହି ବୃଦ୍ଧ ଜଣକ । ନିଜ ପିଏଫ୍ ସହ ସମସ୍ତ ସଞ୍ଚିତ ଅର୍ଥ ସେ ହରାଇଛନ୍ତି । ସମ୍ପର୍କୀୟଙ୍କଠାରୁ କରଜ କରି ସାଇବର ଠକର ୩୦ରୁ ଊର୍ଦ୍ଧ୍ଵ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଛନ୍ତି ବୃଦ୍ଧ ।
ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ କହିବାନୁସାରେ, ୨୦୧୮ ମସିହାରେ ବିଦେଶୀ ଲେଡି ଲିଓନା ଜିମି ବୋଲି ନିଜକୁ ପରିଚୟ ଦେଇ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ । ନିଜକୁ ଲଣ୍ଡନ ମାଞ୍ଚେଷ୍ଟାରର ଅଧିବାସୀ ବୋଲି ସେ କହିଥିଲେ । ପ୍ରଥମେ ଫେସବୁକରେ ବନ୍ଧୁତା ହେବାପରେ ଆରମ୍ଭ ହୋଇଥିଲା ବାର୍ତ୍ତାଳାପ । କଥା ହେବାର ୬ ମାସ ପରେ ସେ ବିଦେଶୀ ଝିଅ ଦିଲ୍ଲୀ ଏୟାରପୋର୍ଟ ଆସିଛି ଓ କିଛି ଅସୁବିଧା ଅଛି ବୋଲି କଟକର ବ୍ୟକ୍ତିଙ୍କୁ କହିଥିଲା । ଏୟାରପୋର୍ଟରେ ଉକ୍ତ ବିଦେଶୀ ଯୁବତୀ ୪୦ ହଜାର ପାଉଣ୍ଡ ରଖିଥିଲା ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ସେଠାରେ ଅଟକ ରଖିଛନ୍ତି ବୋଲି ସେ ବ୍ୟକ୍ତିଙ୍କୁ କହିଥିଲା । ଏମିତକି ରିଲିଜ କରିବାକୁ ମଧ୍ୟ କହିଥିଲେ ଉକ୍ତ ଯୁବତୀ । ୨୦୧୮ ମସିହାରେ ପ୍ରଥମେ ୮୯,୦୦୦ ଟଙ୍କା ଦେଇଥିଲେ ବୟସ୍କ ବ୍ୟକ୍ତି । ଏହାପରେ ୨୦୧୯ରେ ହ୍ବାଟ୍ସ୍ଆପ୍ରେ ପୁଣି ଆରମ୍ଭ ହୋଇଥିଲା ବାର୍ତ୍ତାଳାପ । ଏହାପରେ ଉକ୍ତ ଯୁବତୀ ବରିଷ୍ଠ ବ୍ୟକ୍ତିଙ୍କୁ ଜନ ମାର୍ଟିନ ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ପାଇଁ କହିଥିଲେ । ଏହାପରେ ସେ ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ତରିକାରେ ଟଙ୍କା ନେବା ପାଇଁ ବାଧ୍ୟ କରିଥିଲେ । ଏହାପରେ ଆଉଜଣେ ଉଷା ଖାନ୍ନା ନାମକ ଆଇଡି RBI ଅଧିକାରୀ ବୋଲି ପରିଚୟ ଦେଇଥିଲା । ସେ ମଧ୍ୟ ଟଙ୍କା ଲୁଟ କରିବାର ପ୍ରୟାସ ଆରମ୍ଭ କରିଥିଲା ।
ତେବେ ପୋଲିସ ସୂତ୍ରରୁ ସୂଚନା ଯେ, ୨୦୧୯ରେ ୨ ଲକ୍ଷ ୬୦ ହଜାର, ୨୦୨୦ରେ ୨ ଲକ୍ଷ ୯୬ ହଜାର ୫୦୦, ୨୦୨୧ରେ ୧୨ ଲକ୍ଷ ୩୫ ହଜାର, ଓ ୨୦୨୨ ମସିହାର ୧ ଲକ୍ଷ ୮୧ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟରେ ଉକ୍ତ ବିଦେଶୀ ମହିଳାଙ୍କୁ ଟ୍ରାନ୍ସଫର କରିଥିଲେ କଟକର ଏହି ବୃଦ୍ଧ ବ୍ୟକ୍ତି । ମୋଟ ୨୦ ଲକ୍ଷ ୬୧ ହଜାର ୧୦୦ ଟଙ୍କା ଲୁଟର ଶିକାର ହୋଇଛନ୍ତି ବୃଦ୍ଧ । ଯେତେବେଳ ନିକଟରେ ସେ ଟଙ୍କା ମାଗିଥିଲେ, ସେତେବେଳେ ବୃଦ୍ଧଙ୍କର ବୁଦ୍ଧି ଉଦୟ ହୋଇଥିଲା । ଏହାପରେ ସାଇବର ଥାନାରେ ଏତେଲା କରିଛନ୍ତି ବୃଦ୍ଧ । ବର୍ତ୍ତମାନ ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଓ ସିବିଆଇର ସାହାଯ୍ୟ ନେବ କମିଶନରେଟ ପୋଲିସ । ତେବେ ଏହି ହନିଟ୍ରାପ୍ ଭଳି ବର୍ତ୍ତମାନ ସମୟରେ ଅନେକ ଘଟଣା ସାମ୍ନାକୁ ଆସିଛି । ଆଗାମୀ ଦିନରେ ଏଭଳି ଅଜଣା ଆଇଡି ସହ ବନ୍ଧୁତା ନକରିବା ପାଇଁ ନିବେଦନ କରିଛନ୍ତି ଅତରିକ୍ତ ଡିସିପି ଅନିଲ ମିଶ୍ର ।
ଇଟିଭି ଭାରତ, କଟକ