କଟକ : ଐତିହାସିକ ବାଲିଯାତ୍ରାରେ ନିଆଳୀକୁ ଅପମାନ । ନିଆଳୀ ‘ମେଣ୍ଢାକ୍ଷେତ୍ର’କୁ ନେଇ ଜୋର ଧରିଲା ପ୍ରତିବାଦ । ଓ୍ୱେବସାଇଟ୍ ଏବଂ ବାଲିଯାତ୍ରାରେ ହୋର୍ଡିଂରେ ନିଆଳୀକୁ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଇଯାଇଛି । ଏହାକୁ ନେଇ କଟକ ଜିଲ୍ଲା ନିଆଳୀ ଅଞ୍ଚଳରେ ପ୍ରତିବାଦର ସ୍ବର ଉଠିଛି । ଏହା ସହିତ ଏକ ଦାବି ପତ୍ର ଜିଲ୍ଲାପାଳ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଆଳୀ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।
ଗତକାଲି ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ହେଲେ ବାଲିଯାତ୍ରାରେ କଟକ ଇନ କଟକ୍ ହୋଡିଂରେ ନିଆଳୀ ବାବଦରେ ବିବାଦୀୟ ଲେଖା ଲେଖାଯାଇଥିବାରୁ ପ୍ରତିବାଦ ସ୍ବର ଉଠିଛି । ଓ୍ୱେବସାଇଟ୍ ଏବଂ ବାଲିଯାତ୍ରାରେ ଏକ ହୋର୍ଡିଂରେ ନିଆଳୀକୁ ‘ମେଣ୍ଢାକ୍ଷେତ୍ର’ ବର୍ଣ୍ଣନା କରିବା ଘଟଣାକୁ ଅଞ୍ଚଳବାସୀ ଦୃଢ ବିରୋଧ କରିଛନ୍ତି । କାହା ଅନୁମତିରେ ଓ୍ୱେବସାଇଟ୍ ନିଆଳୀକୁ ’ମେଣ୍ଢାକ୍ଷେତ୍ର’ ବୋଲି ଦର୍ଶାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।
ଏବାବଦରେ ନିଆଳୀର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଲୋକମାନେ ନୀଜ ଜୀବନ ଜୀବିକା ପାଇଁ ଘରେ ଗୃହ ପାଳିତ ପଶୁ ପାଳିଥାନ୍ତି । ଏନେଇ କିଛି ଲୋକ ମେଣ୍ଢା ପାଳିଛନ୍ତି । ହେଲେ ଐତିହାସିକ ବାଲିଯାତ୍ରାରେ ନିଆଳୀକୁ ଏକ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଯାଇଛି । ନିଆଳୀକୁ ନେଇ ଏଭଳି ଅପମାନଜନକ ବୟାନକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଦୁଃଖିତ ।"
ତେବେ ବାଲିଯାତ୍ରା ହୋର୍ଡିଂରେ ଏପରି ଲେଖା ଲେଖିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରୁଛୁ ବୋଲି ପ୍ରତିବାଦକାରୀ କହିଛନ୍ତି । ଏହା ସହିତ ଗୁଗଲରେ ମଧ୍ୟ ନିଆଳୀକୁ ମେଣ୍ଢାକ୍ଷେତ୍ର ବୋଲି ଦର୍ଶାଯାଇଥିବା ଦେଖାଯାଇଛି । ତେବେ କାହା ଅନୁମତିରେ ଏସବୁ ହେଉଛି ତାହାର ତଦନ୍ତ କରାଯାଉ । ଗୁଗଲରେ ଏଭଳି ତଥ୍ୟ ପାଇଁ ନିଆଳୀ ବାସୀ ଅପମାନିତ ହୋଇଛନ୍ତି । ଅଞ୍ଚଳବାସୀ ମେଣ୍ଢା ରଖିଥିଲେ ଜୀବିକା ନିର୍ବାହ କରିବା ପାଇଁ ହେଲେ ଏହାକୁ ନେଇ ଆମ କ୍ଷେତ୍ରକୁ ବଦନାମ କରାଯାଉଛି ବୋଲି ପ୍ରତିବାଦ ଉଠିଛି । ଏହା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ତେବେ ଏନଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, କଟକ