କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ (BSKY) କେଳେଙ୍କାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । କଟକ ନୂଆ ବଜାର ସ୍ଥିତ କେୟାର ହସ୍ପିଟାଲ ଓ ସାଲେପୁରର ଶୋଭା ନର୍ସିଂହୋମକୁ ସିଲ କରିଛି ପୋଲିସ । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ହସ୍ପିଟାଲକୁ ସିଲ୍ କରାଯାଇଛି । ରୋଗୀଙ୍କୁ ଚିକିତ୍ସା କରି ଅନ୍ୟ ଏକ ନର୍ସିଂହୋମରୁ ବିଏସକେୱାଇ କାର୍ଡ ମାଧ୍ୟମରେ ଟଙ୍କା ଉଠାଉଥିବା ଏହି ହସ୍ପିଟାଲ ବରୋଧରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ରାଜ୍ୟରେ ଥମିବାର ନା ନେଉ ନାହିଁ ବିଏସକେୱାଇ କାର୍ଡ ଜାଲିଆତି । ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ସରକାରଙ୍କ ଏହି କାର୍ଡକୁ ଅତି ଚଞ୍ଚକତା ସହ ଅନେକ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଜାଲିଆତି କରୁଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଏହିଭଳି ଜାଲିଆତି କରିଥିବା ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମହାଙ୍ଗା ପଡିଛି । କଟକ ମଧୁପାଟଣା ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସାଲେପୁର ଶୋଭା ନର୍ସିଂହୋମର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଜେମ୍ କେୟାର ହସ୍ପିଟାଲର ମୁଖ୍ୟ କାଟପର୍ଦାରଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।
ଏହା ବି ପଢନ୍ତୁ-BSKY କାର୍ଡରେ ପୁଣି ଜାଲିଆତି, ୨ ଜଣଙ୍କୁ ବାନ୍ଧିଲା ପୋଲିସ
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗତକାଲି କଟକ ଅତିରିକ୍ତ ଡିସିପି ସୂଚନା ଦେଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋଟିଏ ହସ୍ପିଟାଲରେ କାର୍ଡକୁ ସ୍ବାବ କରି ଅନ୍ୟ ହସ୍ପିଟାଲରେ ଚିକତ୍ସା କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଏବଂ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏହି କାରବାରର ମୁଖ୍ୟ କୁହାଯାଉଥିବା ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ଓ ସବିତା ସ୍ବାଇଁଙ୍କୁ ଯଦିଓ କୋର୍ଟରୁ ବେଲ ମିଳିଛି, ଏହି ଜାମିନକୁ ଖାରଜ କରିବା ପାଇଁ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅତିରିକ୍ତ ଡିସିପି ଗତକାଲି ସୂଚନା ଦେଇଥିଲେ।
ସୂଚନା ଥାଉ କି ଜାନୁଆରୀ ମାସରେ ୨୫ଟି ଏହିଭଳି ମାମଲା ସାମ୍ନାକୁ ଆସିଛି । ଜଣେ ରୋଗୀ କୁନିଙ୍କ କିଡ଼ନୀ ଷ୍ଟୋନ ଅପରେସନ ପାଇଁ ଜେମରେ ଭର୍ତ୍ତି ହୋଇଥିବା ବେଳେ ଶୋଭାରେ ତାଙ୍କ କାର୍ଡ ସ୍ବାବ କରାଯାଇଥିଲା । ଅପରେସନ ପରେ ଡିସଚାର୍ଜ ହୋଇ ସେ ଘରକୁ ଯାଇଥିଲେ । ତେବେ ୩ରୁ ୪ ଦିନ ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ପୁଣି ଜେମରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆସିବା ପରେ କଟକ ମଧୂପଟଣା ଥାନା ପୋଲିସ ଘଟଣାର ତଦନ୍ତ କରୁ କରୁ ସମସ୍ତ ତଥ୍ୟ ଜଣାପଡିଥିଲା ।
ଇଟିଭି ଭାରତ, କଟକ