କଟକ: କଲେଜ ଛାତ୍ରୀଙ୍କୁ ନିଆଁରେ ପୋଡ଼ି ମାରିବା ଉଦ୍ୟମ ଘଟଣାର ଖୋଳଦାଡ଼ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବକଙ୍କ ସହ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଅଟକ ଥିବା ଲୋକଙ୍କର ଏହି ହତ୍ୟା ଉଦ୍ୟମ ଘଟଣା ସହିତ ସମ୍ପର୍କ ରହିଥିବା କୁହାଯାଉଛି ।
ତେବେ ପୋଲିସ ପଚରା ଉଚରା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଛାତ୍ରୀଙ୍କ ମାଉସୀ ପୁଅ ତଥା କଟକ ବୟାଳିଶ ମୌଜା ବାସିନ୍ଦା ଦେବାଶକ୍ତ ପତି, ଦେବାଶକ୍ତର ମାଆ ଏବଂ ତା'ର ଜଣେ ସମ୍ପର୍କୀୟ ଭାଇ ଗୁଡୁ । ଦେବାଶକ୍ତ ବିଟେକ୍ ଛାତ୍ର ଥିବାବେଳେ ତାର ସମ୍ପର୍କୀୟ ଭାଇ ଜଣେ ଇଞ୍ଜିନିୟର । ବଡ଼ କଥା ହେଲା ପ୍ରାୟ ଦୁଇ ମାସ ପରେ ପୀଡ଼ିତା ଛାତ୍ରୀ ଜଣଙ୍କ ନିଜ ମାଉସୀ ପୁଅ ନାଁରେ ଥାନାରେ ଏତାଲା ଦେଇଥିଲେ । ଦେବାଶକ୍ତ ତାଙ୍କର ଏକ ଫଟୋକୁ ଡକ୍ଟୋରେଟ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ସହ ସମ୍ମାନହାନୀ ଭଳି କଥା ମଧ୍ୟ ଲେଖିଥିଲା । ଏହି ଘଟଣା ଘଟିବା ପରେ ପୋଲିସ ଗୁରୁବାର ରାତିରେ ଦେବାଶକ୍ତ ସହ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସେପଟେ ପୂର୍ବରୁ ଅଭିଯୋଗ ହୋଇଥିବା କଥା ସତ କିନ୍ତୁ କାଲିର ଘଟଣାରେ ଦେବାଶକ୍ତର ସମ୍ପୃକ୍ତି ନଥିବା ତାଙ୍କ ବାପା କହିଛନ୍ତି ।
ଅନ୍ୟପଟେ ଆଜି(ଶୁକ୍ରବାର) ପୁଣି ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ଯାଇ ପୋଡ଼ି ଯାଇଥିବା ଘରୁ କିଛି ସାମଗ୍ରୀକୁ ଜବତ କରିଛି । ଘର ମାଲିକ ମଧ୍ୟ ସମ୍ପୃକ୍ତ ଛାତ୍ରୀଙ୍କୁ ପୂର୍ବରୁ ହତ୍ୟା ଧମକ ଦିଆଯାଇଥିବା କଥା କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ