ନିଆଳି: ପୁଅ ପାଇଁ ମାଆବାପାଙ୍କ ଆକୁଳ ନିବେଦନ । ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଦିବ୍ୟଜିତ ସିଂହ । ଚାରି ଥର ଅପରେସନ ପରେ ବି ପରିସ୍ଥିତି ସୁଧୁରି ନାହିଁ । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଇରୋଇ ଗାଁର ଦିବ୍ୟଜିତ ସିଂହଙ୍କ ବାପା ବାଦଲ ସିଂହ ଓ ମାଆ ପୁଷ୍ପଲତା ସିଂହ ।
ମାଆ ଆଖିରେ ଲୁହ, ବାପାଙ୍କ ମନରେ କୋହ । ପରିଣତ ବୟସରେ ସେମାନଙ୍କ ଆଶାବାଡି ଯିଏ ସାଜିଥାନ୍ତା ସେ ଆଜି ନିଜେ ବିଛଣାରେ । ନା କିଛି ଜାଣିପାରୁଛି ନା ଭଲ ସେ ପଦେ କଥା କହିପାରୁଛି । ଏଭଳି ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଇରୋଇ ଗାଁର ବାଦଲ ସିଂହ ଓ ପୁଷ୍ପଲତା ସିଂହଙ୍କ ଏକମାତ୍ର ପୁଅ ଦିବ୍ୟଜିତ ସିଂହ ଟ୍ୟୁମର ରୋଗରେ ପୀଡିତ । ପିଲାଦିନରୁ ମେଧାବୀ ଛାତ୍ର ଥିବା ଦିବ୍ୟ ଏବେ ନା କିଛି ଜାଣିପାରୁଛନ୍ତି ନା କିଛି କହିପାରୁଛନ୍ତି । ଦଶମ ପରୀକ୍ଷା ପରେ ପରେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇଛନ୍ତି ଦିବ୍ୟଜିତ । ଡାକ୍ତରଙ୍କ ପରାମର୍ଶରେ 4 ଥର ଅପରେସନ ବି ସରିଲାଣି । ହେଲେ ପରିସ୍ଥିତି ଓଲଟା । ଟ୍ୟୁମର ଭଲ ହେବା ବଦଳରେ ନିଜ ସ୍ମରଣଶକ୍ତି ହରାଇ ବସିଛନ୍ତି ଦିବ୍ୟ । ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରେ ବସିଛି ।
ଏହାମଧ୍ୟ ପଢନ୍ତୁ.. ଦୁଇଟି ଯାକ କିଡନୀ ହରାଇ ହସ୍ପିଟାଲ ବେଡ୍ରେ ସ୍ୱାମୀ, ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ
ସେପଟେ ଏକମାତ୍ର ପୁଅ କିଭଳି ଭଲ ହେଇଯିବ ସେହି ଆଶାରେ ପରିବାର ଓ ସମ୍ପର୍କୀୟ । ଦିବ୍ୟଙ୍କ ବାପା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ୱଳ୍ପ ରୋଜଗାରରେ ପୁଅର ଚିକିତ୍ସା ଜାରି ରଖିଛନ୍ତି । ଯାହା ଥିଲା ବାପା ଓ ମାଆ ପୁଅ ପିଛାରେ ସାରି ଦେଲେ । ପୁଅର ଅଧିକ ଚିକିତ୍ସା କେମିତି ହେବ ଚିନ୍ତାରେ ସେମାନେ । ବର୍ତ୍ତମାନ ପୁଅର ଚିକିତ୍ସା ପାଇଁ ସମ୍ବଳ ସେମାନଙ୍କ ପାଖରେ ନାହିଁ । ଆର୍ଥିକ ସଙ୍କଟ ମଧ୍ୟରେ ପୁଅ ପାଇଁ ସାହାଯ୍ୟର ଭିକ୍ଷା ମାଗିଛନ୍ତି ବାପାମା । ପୁଅର ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ମିଳିଲେ ପୁଅର ଚିକିତ୍ସା ହେବା ସହ ଦିବ୍ୟ ଏକ ନୂଆ ଜୀବନ ପାଇପାରନ୍ତା ବୋଲି ସ୍ଥାନୀୟ ଲୋକ ଓ ସ୍କୁଲ ଶିକ୍ଷକ ଏବଂ ପରିବାର କହିଛନ୍ତି ।
ତେବେ ଦିବ୍ୟଜିତ ସିଂହଙ୍କ ଅଧିକ ଚିକିତ୍ସା ପାଇଁ ସହାୟତା ନିମନ୍ତେ ତାଙ୍କ ଫୋନ ପେ ନମ୍ୱର 8144500558ରେ ସହାୟତା କରିପାରିବେ ନଚେତ ଦିବ୍ୟଜିତଙ୍କ ମା' ପୁଷ୍ପଲତାଙ୍କ ଇଣ୍ତିଆନ ବ୍ୟାଙ୍କ ଆକାଉଣ୍ଟ ନମ୍ବର -975420313, IFSC code -IDIB000O006 ସହାୟତା ରାଶି ପ୍ରଦାନ କରି ପାରିବେ ।
ଇଟିଭି ଭାରତ, ନିଆଳି