କଟକ: ମହାନଦୀରେ ଦେଖାଦେଇଛି ମଧ୍ୟମଧରଣର ବନ୍ୟା ଆଶଙ୍କା । ଗତ ଦୁଇଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ରବିବାର ସଂନ୍ଧ୍ୟା 6ଟା ସୁଦ୍ଧା ଖଇରମାଳ ଦେଇ 9 ଲକ୍ଷ 48 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ବରମୂଳ ଦେଇ 8 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଦେଇ ମହାନଦୀକୁ 6 ଲକ୍ଷ 37 ହଜାର 585 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବେଳେ ଜୋବ୍ରା ବ୍ୟାରେଜ ଦେଇ 2 ଲକ୍ଷ 77 ହାଜର 212 କ୍ୟୁସେକ ଜଳ ଓ ନରାଜ ଦେଇ କାଠଯୋଡି ନଦୀରେ 3 ଲକ୍ଷ 15 ହାଜର 930 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଏହାସହ ହୀରାକୁଦ ଜଳ ଭଣ୍ଡାରରୁ 5 ଲକ୍ଷ 63 କ୍ୟୁସେକ ଜଳ ନିଷ୍କସିତ ହେଉଛି । ଯଦି ମହାନଦୀର କ୍ୟାଚମେଣ୍ଟ ଅଞ୍ଚଳରେ ଅଧିକ ପରିମାଣ ବର୍ଷା ହୁଏ ତେବେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ କଟକର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ତଦାରଖ କରିଛନ୍ତି । ଆସନ୍ତାକାଲି(ସୋମବାର) ମୁଣ୍ଡଳିରେ ଅଧିକ ବନ୍ୟାଜଳ ପ୍ରବାହିତ ହେବ ।
ତେଣୁ ଏହାର ପ୍ରଭାବରେ କଟକ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି । ସମସ୍ତ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବନ୍ୟା ସ୍ଥିତିକୁ ନେଇ ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।