କଟକ: ଦେଶରେ ରନ୍ଧନ ଗ୍ୟାସ, ପେଟ୍ରୋ-ଡିଜେଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ଯାହାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ୟାସ୍ ଓ ତୈଳ ଦାମ ବୃଦ୍ଧିକୁ ବିରୋଧ କରି ଗର୍ଜିଛି ଏସ.ୟୁ.ସି.ଆଇ(SUCI) କମ୍ୟୁନିଷ୍ଟ । ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଛି । ସଂଗଠନର ସଦସ୍ୟ କହିଛନ୍ତି, ''ସରକାରଙ୍କ ବିଭିନ୍ନ ଜନମାରଣ ନୀତି ଯୋଗୁଁ ବର୍ତ୍ତମାନ ଦେଶ ହାହାକାର ପରିସ୍ଥିତ ଦେଇ ଗତି କରୁଛି । କୋଟି କୋଟି ଲୋକେ ରୋଜଗାର ହରାଇବା ସହ ଅନାହାର ଓ ଅର୍ଦ୍ଧାହାରରେ କାଳତିପାତ କରୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଛି ।''
SUCI କମ୍ୟୁନିଷ୍ଟ ଅଭିଯୋଗ କରିଛି ଯେ, "ଏପରି ସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମୂଲ୍ୟ ଆକାଶଛୁଆଁ ହେବା ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ପ୍ରତିଦିନ ପେଟ୍ରୋଲ, ଡିଜେଲ୍ର ମୂଲ୍ୟ ବୃଦ୍ଧି ଘଟୁଛି । ତେଲ ଦର ବଢି ବଢି ବର୍ତ୍ତମାନ ଆମ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ୧୦୨ ଟଙ୍କା ଅତିକ୍ରମ କରିଛି । ଶନିବାର ରନ୍ଧନ ଗ୍ୟାସର ମୂଲ୍ୟ ଆଉ ୫୦ ଟଙ୍କା ବୃଦ୍ଧି ପାଇ ୧,୦୨୬ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟ ବୃଦ୍ଧି ସଂପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି ।"
ତେଲ, ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟ ଦର ଅହେତୁକ ମାତ୍ରାରେ ବୃଦ୍ଧି ପାଇବା ଜନ ଜୀବନକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି । ସାରା ଦେଶର କର୍ପୋରେଟ ସ୍ବାର୍ଥରକ୍ଷାକାରୀ ଏଭଳି ଚରମ ଜନବିରୋଧି ମୂଲ୍ୟ ବୃଦ୍ଧିକୁ ପ୍ରତିହତ କରିପାରିବ ବୋଲି ଏସ.ୟୁ.ସି.ଆଇ ପକ୍ଷରୁ କୁହାଯାଇଛି । ତେବେ ସରକାର ଏହି ଦରଦାମ୍ ହ୍ରାସ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଏକ ବଡ଼ ଜନ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ