କଟକ: ଜିଲ୍ଲାର ୫ଟି ବ୍ଲକ ସମେତ ୫ଟି ଜିଲ୍ଲାର ଲୋକ କଟକ ଆସିବା ଉପରେ କଟକଣା ଜାରିକଲା କଟକ ମହାନଗର ନିଗମ । ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ଵର ସମେତ କଟକ ଜିଲ୍ଲାର ନିଶ୍ଚିତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଲକର ଲୋକଙ୍କ ପାଇଁ କଟକଣା ଜାରି କରାଯାଇଛି ।
ବିଶେଷକରି ଏହି ଅଞ୍ଚଳର ଲୋକ କଟକରେ ରହିବା ପୂର୍ବରୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହି ସ୍ଥାନରୁ କଟକ ମହାନଗର ନିଗମ ଅଞ୍ଚଳକୁ ଆସିଲେ ହୋମକ୍ବାରେଣ୍ଟାଇନରେ ରହିପାରିବେ। କିମ୍ବା ହୋମକ୍ବାରେଣ୍ଟାଇନ ସୁବିଧା ନଥିଲେ ଶିକ୍ଷାନୁଷ୍ଠାନରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରରେ ରହି ପାରିବେ ବୋଲି ସିଏମସି ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି ।
ସେହିପରି ୱାର୍ଡ ଅଫିସର ଏନେଇ ପ୍ରତ୍ୟେକ ୱାର୍ଡ ସମ୍ପର୍କରେ ତଥ୍ୟ ରଖିବେ । ସହରର ସମସ୍ତ ସାହି ଓ ପୂଜା କମିଟି ସହ ସମନ୍ବୟ ରଖି ତଥ୍ୟ ରଖିବାକୁ ୱାର୍ଡ ଅଫିସରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ସହରରେ ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ଅନେକ ଆକ୍ରାନ୍ତ ଏହି ସବୁ ସ୍ଥାନର ଜଣାପଡିବା ପରେ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ