କଟକ: ହକି ବିଶ୍ବକପ ପାଇଁ ଉତ୍ସବ ମୁଖର କଟକ ସହର । ଏହି ମେଗା ଇଭେଣ୍ଟର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଜାନୁଆରୀ 11 ତାରିଖରେ ସିଲଭର ସିଟି କଟକରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରସ୍ତୁତି ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତର ପ୍ରକାଶ ପାଇଛି । ଏନେଇ ରିଙ୍ଗ ରୋଡ଼, ଓଭର ବ୍ରିଜ ସୌନ୍ଦଯ୍ୟକରଣ , ଅଲୋକି କରଣ, ନୂଆ ନୂଆ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିଛି ।
ହାତରେ ଆଉ କମ ସମୟ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର 25 ସୁଦ୍ଧା ସବୁ କାର୍ଯ୍ୟ ସାରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି । ତେଣୁ କଟକ ମହାନଗର ନିଗମ ସବୁ ଦିଗରେ କଟକକୁ ନୂଆ ଲୁକ୍ ଦେବା ପାଇଁ ଅଣ୍ଟା ଭିଡିଛି । ଅନ୍ୟପଟେ ବାରବାଟୀ ଷ୍ଟାଡିୟମର କାର୍ଯ୍ୟ ଓସିଏକୁ ଦିଆଯାଇଛି । ଓ ସିଏମସି ମଧ୍ୟ ଏହି କାର୍ଯ୍ୟ ଉପରେ ଦୃଷ୍ଟି ରଖିଛି । ଯେପରି ଉତ୍ସବ ସମୟରେ ଲୋକମାନେ କଟକରେ ହକି ଫିଭରକୁ ଅନୁଭବ କରିବେ ସେନେଇ ଏହି ପ୍ରୟାସ ଜାରି ରହିଛି ।
ଏନେଇ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, "ସହରରେ ସୌନ୍ଦର୍ଯ୍ୟକରଣ କାମ ଜୋରସରରେ ଆଗେଇ ଚାଲିଛି । ଆମେ ଏହାକୁ ଗୋଟିଏ ମିଶନ ମୋଡରେ କରୁଛୁ । ଆମ ହାତରେ ସମୟ କମ ରହିଛି । ସେଥିପାଇଁ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସାରିବାକୁ ଲକ୍ଷ୍ୟ ରଖିଛୁ । କେବଳ ଏହା ନୁହଁ ଯେ ଆମେ ହକି ବିଶ୍ବକପକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ କରୁଛୁ । ଏହି ସୌନ୍ଦର୍ଯ୍ୟକରଣ ସହରରେ ସ୍ଥାୟୀ ଭାବରେ ରହିବ । ଏହାକୁ ସହରବାସୀ ଭରପୁର ଉପଭୋଗ କରିବେ । ବିଶ୍ବକପ ଦୃଷ୍ଟିରେ ରଖି ଆମେ ଯେତିକି ଅଞ୍ଚଳରେ କାର୍ଯ୍ୟ ସାରିବା କଥା ସାରିବୁ । ଏହା ପରେ ମଧ୍ୟ ଅନ୍ୟ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣକୁ ବୃଦ୍ଧି କରାଇବୁ । ଆମେ ଗୋଟେ ମଡେଲ ଅନୁସାରେ କାମକୁ ଆଗେଇ ନେଉଛୁ ।"
ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ ୨୦୨୩ । ତାରିଖ ଯେତେ ପାଖଉଛି ପ୍ରସ୍ତୁତି ସେତେ ଜୋରସରରେ ଆଗେଇ ଚାଲିଛି । ହକି ବିଶ୍ବକପ ପାଇଁ ବାଜି ସାରିଛି ବିଗୁଲ । ୨୦୨୩ ହକିବିଶ୍ବକପର ଆୟୋଜୋକ ରହିଛି ଓଡ଼ିଶା । ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ ଆୟୋଜନ ହେବାନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।
ଇଟିଭି ଭାରତ, କଟକ