କଟକ: ଜେଲରେ ବର୍ଷ ବର୍ଷ ଧରି ଦଣ୍ଡ ଭୋଗୁଥିବା କଏଦୀମାନଙ୍କ ମଧ୍ୟରେ ମାନସିକ ଶାନ୍ତି ତଥା ବୌଦ୍ଧିକ ବିକାଶ ପାଇଁ ଇଣ୍ଡିଆନ୍ ଅଏଲ ତରଫରୁ ସରକାରୀସ୍ତରରେ ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ଚେସ୍ ଖେଳ ପ୍ରଶିକ୍ଷଣ ଦିଆଯାଉଛି । କଏଦୀମାନଙ୍କର ମାନସିକ ବିକାଶ ଓ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବା ପାଇଁ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ । ସାରା ଦେଶରେ ଥିବା ଜେଲ୍ ଗୁଡିକ ମଧ୍ୟରେ ଆୟୋଜିତ ହେଉଛି ସର୍ବଭାରତୀୟ କାରାଗାର ଚେସ୍ ଚମ୍ପିଆନ୍ସିପ୍ । ଏଥର ଓଡିଶାର ଚାରୋଟି କାରାଗାରର ଅନ୍ତେବାସୀଙ୍କ ପାଇଁ ଏବେ ଜେଲ୍ ଭିତରେ ଚେସ୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ ସର୍ବଭାରତୀୟ କାରାଗାର ଚେସ୍ । ଏଥିରେ ଯେଉଁ କାରାଗାର ଚମ୍ପିଆନ୍ ହେବ, ସେହି ଟିମ ଅକ୍ଟୋବରରେ ହେବାକୁ ଥିବା ବିଶ୍ବ କାରାଗାର ଚେସ୍ ଚମ୍ପିଆନ୍ସିପ୍ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିବ ।
ବର୍ଷ ବର୍ଷ ଧରି ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରେ ମାନସିକ ଶାନ୍ତି ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାହାଯ୍ୟରେ ଇଣ୍ଡିଆନ୍ ଅଏଲ୍ ଆୟୋଜନ କରୁଛି ସର୍ବଭାରତୀୟ କାରାଗାର ଚେସ୍ ଚମ୍ପିଆନ୍ସିପ୍ । ଆଉ ଚଳିତ ବର୍ଷ ଓଡିଶାରୁ ଚୌଦ୍ଵାର, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁର ଜେଲର ଅନ୍ତେବାସୀମାନେ ଏହି ଚମ୍ପିଆନ୍ସିପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେଥିପାଇଁ ଏହି ୪ ଜେଲରେ ଏବେ ଚାଲିଛି ମାସେ ବ୍ୟାପୀ ଚେସ୍ ପ୍ରଶିକ୍ଷଣ ଶିବିର । ଏଥିରେ ରାଜ୍ୟର ଅଭିଜ୍ଞ ଚେସ୍ କୋଚ୍ମାନେ ପ୍ରଶିକ୍ଷଣ ଦେଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ସର୍ବଭାରତୀୟ ଅନ୍ଲାଇନ୍ କାରାଗାର ଚେସ୍ । ପ୍ରଥମେ ଏହି କଏଦୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ମନରେ ଭୟ ରହୁଥିବା ବେଳେ ଏମାନଙ୍କ ଇଚ୍ଛା ଓ ଉତ୍ସାହ ଆମକୁ ଶିଖାଇବାରେ ବେଶ ଆଗ୍ରହ ସୃଷ୍ଟି କରିଥିବା କହିଛନ୍ତି ପ୍ରଶିକ୍ଷକ ।
ଏହା ମଧ୍ୟ ପଢ଼ନ୍ତୁ...ଜେଲରେ କଏଦୀଙ୍କ ମାନସିକ ସ୍ଥିତି ନେଇ ଚିନ୍ତା, ପ୍ରଥମକରି ଓଡିଶାରେ ନିଯୁକ୍ତ ହେଲେ ମନସ୍ତତ୍ବବିତ୍
ତେବେ ଏହି ଚମ୍ପିଆନ୍ସିପ୍ରେ ଦେଶର ଯେଉଁ କାରାଗାର ଚେସ୍ ଟିମ୍ ଚମ୍ପିଆନ୍ ହେବ ସେହି ଟିମ ବିଶ୍ବ କାରାଗାର ଚେସ୍ ଚମ୍ପିଆନ୍ସିପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ । ଗତବର୍ଷ ଭୁବନେଶ୍ବର ଜେଲ ଚେସ୍ ଟିମ୍ ସର୍ବଭାରତୀୟ ସ୍ତରରେ ରନର୍ସ ଅପ୍ ହୋଇଥିଲା । ତେଣୁ ଓଡିଶାର ୪ଟି ଯାକ କାରାଗାର ଟିମ୍ ଏବେ ଏହି ଚମ୍ପିଆନ୍ସିପ୍ ପାଇଁ ଜୋରସୋରରେ ଅଭ୍ୟାସ କରୁଛନ୍ତି । ସେପଟେ ଜେଲ୍ରେ ଥିବା ଅନ୍ତେବାସୀଙ୍କ ପାଇଁ ଏଭଳି ଏକ ପ୍ରୟାସ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଆଇନଜୀବୀ । ପ୍ରଶିକ୍ଷଣ ପରେ ମ୍ୟାଚ ଗୁଡିକ ଅନଲାଇନରେ ଖେଳାଯିବ । କେବଳ ଏହି ପ୍ରତିଯୋଗିତା ଦ୍ବାରା କଏଦୀର ମାନସିକ ପରିବର୍ତ୍ତନ ହେବନି, ବରଂ ଆଗାମୀ ଦିନରେ ସେ ଜଣେ ଚେସ୍ ତାରକା ରୂପରେ ମଧ୍ୟ ଉଭା ହୋଇପାରିବ ।
ଇଟିଭି ଭାରତ, କଟକ