କଟକ: ସାନଭାଇ ବଡଭାଇ ସମେତ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଟାଙ୍ଗିଆ ମାଧ୍ୟମରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । ଜମିଜମା ବିବାଦକୁ କେନ୍ଦ୍ର କରି ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ତେବେ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।
ସେହିପରି ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଜାରି କରିଥିବା ଭିଡିଓକୁ ନେଇ ପୋଲିସ ନିକଟରେ ସୂଚନା ନଥିବା କହିଛନ୍ତି ଆଇଜି । ଭିଡିଓର ମଧ୍ୟ ତଦନ୍ତ କରାଯିବ କହିଛନ୍ତି । ସୂଚନା ଅନୁଯାୟା, ଆଜି(ମଙ୍ଗଳବାର) ସକାଳେ ଅଲେଖ ସାହୁଙ୍କ ଘର କବାଟ ଖୋଲାନଯିବାରୁ ପଡୋଶୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଉପସ୍ଥିତିରେ ବାହାର ପଟୁ ବନ୍ଦ ଥିବା ଘରର କବାଟ ଖୋଲା ଯାଇଥିଲା । କବାଟ ଖୋଲାଯିବା ପରେ ଯାହା ଦୃଶ୍ୟମାନ ହୋଇଥିଲା ତାହା ବିଶ୍ୱାସ ଯୋଗ୍ୟନଥିଲା । କାରଣ ଘର ଭିତରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ଥିଲା 5 ଜଣଙ୍କ ରକ୍ତ ଜୁଡୁବୁଡୁ କ୍ଷତ ବିକ୍ଷତ ମୃତଦେହ ।
ଏହା ମଧ୍ୟ ପଢନ୍ତୁ:- କଟକରେ ଚାଞ୍ଚଲ୍ୟ: ବଡଭାଇ ପରିବାରକୁ ନିପାତ କରିଦେଲା ସାନଭାଇ
ଏହି ହତ୍ୟା ଖବର ପ୍ରଘଟ ହେବା ପୂର୍ବରୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଶିବ ସାହୁ, ଯିଏକ ଅଲେଖଙ୍କ ସାନଭାଇ । ବଡଭାଇ ସମେତ ଭାଉଜ, ଦୁଇ ପୁତୁରା ଏବଂ ଝିଆରିକୁ ହତ୍ୟା କରିଥିବା ସ୍ବୀକାର କରିଥିଲା ଶିବ । ଏହାପରେ କଟକ ଗ୍ରାମାଞ୍ଚଳ SP ଙ୍କ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ଅନ୍ୟପଟେ ସମ୍ପତ୍ତି ବିବାଦକୁ ନେଇ ସାହୁ ପରିବାରରେ ଦୀର୍ଘଦିନୁ ତିକ୍ତତା ଲାଗି ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ । ବଡ଼ଭାଇ ସାନଭାଇକୁ ଘରେ ପୁରାଇ ନଦେବାରୁ ଭଡ଼ା ଘରେ ରହୁଥିବା କହିଛନ୍ତି । ତେବେ ପୋଲିସର ଅଧିକ ତଦନ୍ତ ପରେ ଶିବ ଏକୁଟିଆ ହତ୍ୟାକାଣ୍ଡରେ ସାମିଲ ଅଛି କି ଏଥିରେ ଆଉ କାହାର ହାତ ଅଛି ସେନେଇ ସ୍ପଷ୍ଟ ହେବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ