କଟକ: ସ୍ବର୍ଗଦ୍ବାରରେ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାର ଜନସାଧାରଣ ମୃତଦେହ ଦାହ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ପୁରୀ ଜିଲ୍ଲାପାଳ । ତେବେ ଏହି ନିର୍ଦ୍ଦେଶକୁ ବିରୋଧ ତଥା ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ଆଗତ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇଛି ।
ସମାଜସେବୀ ହରିହର ମିଶ୍ର ହାଇକୋର୍ଟରେ ପୁରୀ ଜିଲ୍ଲାପାଳଙ୍କ ଏଭଳି ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ମାମଲା ରୁଜୁ କରିଥିଲେ । ଗତ ଜୁଲାଇ ୭ରେ ଏହି ସଂକ୍ରାନ୍ତରେ ପୁରୀ ଜିଲ୍ଲାପାଳ ଟ୍ବିଟର ଯୋଗେଁ ନିର୍ଦ୍ଦେଶ ଦେଇଥିବା ବେଳେ ଜୁଲାଇ ୮ରେ ବିଜ୍ଞପ୍ତି ଜାରି କରିଥିଲେ । ଆବେଦନକାରୀ ଦର୍ଶାଇଛନ୍ତି ଯେ ପୁରୀ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା କେନ୍ଦ୍ରସରକାରଙ୍କ କୋଭିଡ ଗାଇଡ଼ଲାଇନ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନକୁ ଅବମାନନା କରୁଛି ।
ଅନ୍ୟପକ୍ଷେ ଜିଲ୍ଲାପାଳଙ୍କୁ ଏଭଳି କ୍ଷମତା ପ୍ରଦାନ କରାଯାଇନଥିବା ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ଵନାଥ ରଥ ଏହି ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୧୨ସୁଦ୍ଧା ସମସ୍ତଙ୍କୁ ନିଜ ନିଜର ପକ୍ଷ ରଖିବା ପାଇଁ କୁହାଯାଇଛି । ତେବେ ଏହି ଦିନ ମାମଲାର ପରବର୍ତ୍ତି ଶୁଣିଶି କରାଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।
କଟକରୁ ନାରାୟଣ ମିଶ୍ର, ଇଟିଭି ଭାରତ