କଟକ: କର୍କଟ ଏକ ଏପରି ରୋଗ ଯାହାର ଚିକିତ୍ସା ଠିକ ସମୟରେ କରାନଗଲେ ପରିସ୍ଥିତି ବିଗିଡି ଯାଇଥାଏ । ହେଲେ ଲକଡାଉନ ସମୟରେ କର୍କଟ ରୋଗୀଙ୍କର ନିୟମିତ ଚିକିତ୍ସା ହୋଇପାରିନଥିବାରୁ ଅନେକ ରୋଗୀଙ୍କ ଅବସ୍ଥା ଜଟିଳ ହୋଇପଡିଛି । ଏପରିକି ଲକ୍ଡାଉନ୍ ସମୟରେ ପୂର୍ବାପେକ୍ଷା କର୍କଟ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ମଧ୍ୟ 70 ପ୍ରତିଶତ କମିଯାଇଥିବା ଜଣାପଡିଛି ।
ଲକଡାଉନ ଯୋଗୁଁ ଗାଡି ମଟର ବନ୍ଦ ରହିଥିବାବେଳେ ଗମନାଗମନ ଠପ୍ ହୋଇଯାଇଥିଲା । ଫଳରେ ନିୟମିତ ଯାଞ୍ଚ ପାଇଁ କର୍କଟ କେନ୍ଦ୍ରକୁ ଆସି ପାରିନଥିଲେ ରୋଗୀ । ଏପରି ଜଣେ କର୍କଟ ରୋଗୀ ହେଉଛନ୍ତି ଭଦ୍ରକର ପ୍ରକାଶ ଦାସ ।
ମୁଣ୍ଡରେ ତାଙ୍କର ଟ୍ୟୁମର ବାହାରିଥିବା ପରେ ଅପରେସନ ପାଇଁ ଏମ୍ସ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । ପରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତର ତାଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆସିବାକୁ ପରାମର୍ଶ ଦେଇଥିଲେ ।
ତେବେ ହଠାତ ଲକ୍ଡାଉନ୍ ଘୋଷଣା ପରେ ସବୁକିଛି ବନ୍ଦ ହୋଇଯିବାରୁ ସେ କଟକ ଆସିବା ସମ୍ଭବ ନଥିଲା । ଏହାରି ଭିତରେ ଦୁଇ ମାସ ବିତିଯାଇଥିବାବେଳେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚିକିତ୍ସା ପାଇଁ ଆସିଛନ୍ତି ।
ସେହିପରି ବାଲେଶ୍ବରର ନିରୂପମାଙ୍କର ମଧ୍ୟ ସମାନ ଅବସ୍ଥା । ସ୍ତନ କର୍କଟରେ ପୀଡିତ ଥିବା ନିରୂପମାଙ୍କର ଚିକିତ୍ସା ହେଉଥିବାବେଳେ ଲକ୍ଡାଉନ୍ କାରଣରୁ ନିୟମିତ ଚେକଅପ୍ କରିପାରିନଥିଲେ । ଖାଲି ଏହି ଦୁହେଁ ନୁହଁନ୍ତି ଏପରି ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଅନ୍ୟପଟେ ଲକଡାଉନ ପୂର୍ବରୁ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ କେନ୍ଦ୍ରକୁ ପ୍ରତ୍ୟେକ ଦିନ 5 ଶହ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି । ମାତ୍ର ଲକଡାଉନ ପାଇଁ ଏହାର ସଂଖ୍ୟା ପାଖାପାଖି 70 ପ୍ରତିଶତ ହ୍ରାସ ପାଇଛି । ସେପଟେ ରୋଗୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ସମୟରେ କିପରି ନିଜ ଜିଲ୍ଲାରେ କର୍କଟ ରୋଗୀମାନେ ଚିକିତ୍ସା ପାଇ ପାରିବେ ସେନେଇ ପ୍ରତି ଜିଲ୍ଲା ମୁଖ୍ୟାଚିକିତ୍ସାଳୟରେ କେମୋଥେରାପିର ବ୍ୟବସ୍ଥା କରାଯାଇଥିଲା । ସେହିପରି କୌଣସି ସମସ୍ୟା ଥିଲେ ଟେଲିମେଡିସିନ ଦ୍ବାରା ଜିଲ୍ଲା ଚିକିତ୍ସାଳୟ ଡାକ୍ତରଙ୍କୁ ପରାମର୍ଶ ଦିଆଯାଉଥିବା କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ବିଭାଗର ଡାକ୍ତର ।
ତେବେ ଲକଡାଉନ ନିୟମରେ କିଛିଟା କୋହଳ ହେବା ପରେ କର୍କଟ କେନ୍ଦ୍ରରେ ଏବେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ ରୋଗୀମାନଙ୍କର ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ହୋଇପାରୁ ନଥିବା ଦେଖିବାକୁ ମିଳିଛି ।
ସାଧାରଣତଃ କର୍କଟ ରୋଗର କେତେ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିଛି, ଜାଣନ୍ତୁ...
କର୍କଟ ରୋଗର ସାଧାରଣତଃ 3 ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ । ଶଲ୍ୟ ଚିକିତ୍ସା ବା ସର୍ଜରୀ, ବିକିରଣ ପଦ୍ଧତି ବା ରେଡିଏସନ ଓ ଔଷଧୀୟ ଚିକିତ୍ସା ବା କେମୋଥେରାପି । ଏହି ତିନିଟି ଉପାୟରେ କର୍କଟ ରୋଗୀଙ୍କ ଚିକିତ୍ସା କରାଯାଇଥାଏ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ