ନିଆଳି: ଦ୍ଵିତୀୟ ଦିନରେ ନିଆଳି ବ୍ଲକ ସମ୍ମୁଖରେ ଧାରଣା । ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି ପରସ୍ପର ବିରୋଧରେ ଧାରଣା ଦେଇଛନ୍ତି । ଗୋଟିଏ ପଟେ ଦୁର୍ନୀତି ବିରୋଧରେ ୮ ଦଫା ଦାବିରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ସେପଟେ ଶାସକ ବିଜେଡି ପ୍ରଶାସନକୁ ସୁରକ୍ଷା ଦାବିରେ ଧାରଣା ଦେଇଛି । ତେବେ ମଙ୍ଗଳବାର ଧାରଣାସ୍ଥଳରେ ବିଜେପି ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ଧାରଣା ଓ ପ୍ରତିବାଦକୁ ନେଇ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ରାଜନୈତିକ ରଙ୍ଗ ଲାଗିରହିଛି । ଗୋଟିଏ ପଟେ ବିରୋଧି ବିଜେପି ନେତା ଓ କର୍ମୀ ନିଆଳି ବ୍ଲକରେ ସରକାରୀ ଜନ କଲ୍ୟାଣୀ ଯୋଜନାରେ ବ୍ୟାପକ ଦୁର୍ନୀତି, ବାଟ ମାରଣା, ପାତର ଅନ୍ତର ଓ ବିରୋଧୀ ଦଳର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ପ୍ରଶାସନ ଅସହଯୋଗ କରିବା ଏଭଳି ୮ ଦଫା ଦାବିରେ ଗତ ୫ ତାରିଖ ଠାରୁ ଧାରଣା ଦେଇଛନ୍ତି । ଏହି ଧାରଣା ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି ।
ଏହା ମଧ୍ୟ ପଢ଼ନ୍ତୁ..ପରସ୍ପର ବିରୋଧରେ ଧାରଣା ଦେଲେ ବିଜେପି ଓ ବିଜେଡି, ବ୍ଲକ ସମ୍ମୁଖରେ ୧୪୪ ଧାରା ଜାରି
ସେପଟେ ଶାସକ ଦଳ ବିଜେଡି ସମର୍ଥକମାନେ ବିଜେପି ଦାବିକୁ କାଉଣ୍ଟର ଆଟାକ କରି ନିଆଳି ପ୍ରଶାସନକୁ ସୁରକ୍ଷା ଦାବିରେ ଧାରଣା ଦେଇଛନ୍ତି । ଫଳରେ ବିଜେପି ଓ ବିଜେଡି ଧାରଣା ଘଟଣା ନିଆଳି ଅଞ୍ଚଳରେ ବେଶ୍ କୌତୁହଳ ସୃଷ୍ଟି କରିଛି । ଏହି ଧାରଣା ଦ୍ବାରା କିଏ ନିଆଳିବାସୀଙ୍କ ମନ ଜିଣିବ ତାହା ସମୟ କହିବ । କିନ୍ତୁ ଆଟାକ ଏବଂ କାଉଣ୍ଟର ଆଟାକ ଏବେ ନିଆଳି ରାଜନୀତିକୁ ରୋଚକ ସ୍ଥିତରେ ପହଞ୍ଚାଇଛି । ଉଭୟ ବିଜେପି ଓ ବିଜେଡିର ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
ଇଟିଭି ଭାରତ, ନିଆଳି