କଟକ: 2024 ନିର୍ବାଚନ ଲାଗି ଆରମ୍ଭ ହୋଇଛି ଚୌଦ୍ବାର ନିର୍ବାଚନ ମଣ୍ଡଳୀର ସମର ସଜା । ଏନେଇ ଚୌଦ୍ବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ଜନତା ଦଳର ଏକ କାର୍ଯ୍ୟକାରିଣୀ କମିଟିର ବୈଠକ ଚାଉଳିଆଗଞ୍ଜ ସ୍ଥିତ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ଏହି ବୈଠକରେ ସଭାପତିତ୍ବ କରିଥିଲେ ।
ଆସନ୍ତା ୨୦୨୪ ନିର୍ବାଚନ ଲାଗି ଏହି ବୈଠକଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେଡି କର୍ମୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । ୨୦୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ କର୍ମୀମାନେ ପ୍ରସ୍ତୁତ ରହିବା ପାଇଁ ବୈଠକରେ ଆହ୍ଵାନ ଦିଆଯାଇଥିଲା । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କିପରି ଘରେ ଘରେ ପହଞ୍ଚାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି କର୍ମୀମାନଙ୍କୁ କୁହାଯାଇଥିଲା ।
ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ, "ରାଜ୍ୟରେ ନବୀନ ପଟ୍ଟନାୟକଙ୍କର ସୁଶାସନ ତାଙ୍କୁ ବିଶ୍ବର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ କରିଛି । ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ ବିଜୁ ସ୍ବାସ୍ଥ୍ୟ ଯୋଜନା, ମହିଳା ଶସକ୍ତିକରଣ, ଖାଦ୍ୟ ସୁରକ୍ଷା ଯୋଜନା ଭଳି ଅନେକ ଯୋଜନା ଆଜି ଏକ ସଫଳ ଯୋଜନା ଭାବରେ ପରିଣତ ହୋଇଛି । ଆଜି ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଘରେ ଘରେ ସୁପରିଚିତ। ଏହାର ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି।" ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଲୋକପ୍ରିୟତାକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ବିଶ୍ଵାଳ ।
ଏହା ବି ପଢନ୍ତୁ- 2024 Election: ନିର୍ବାଚନ ପାଇଁ ପାଗ ଭିଡ଼ିଲା କଂଗ୍ରେସ, ଫୋକସରେ 100 ସିଟ୍
ଏଥି ସହିତ ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇ ଦିଆଯାଇଛି । ବିଜୁ ଜନତା ଦଳର ସରକାର ନିଜର ସଂଖ୍ୟାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆଜି ସମଗ୍ର ବିଶ୍ଵରେ ଏକ ରେକର୍ଡ ସୃଷ୍ଟି କରିଛି । କଟକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କର୍ମୀମାନଙ୍କୁ ସମ୍ବୋଧିତ କରି ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରି ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କିପରି ପ୍ରଚାର ପ୍ରସାର କରାଯାଇପାରିବ ତାହା ଉପରେ ଗୁରୁତ୍ବାରୋପ କରିବାକୁ ସେ କର୍ମୀମାନଙ୍କୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ଵାଳ, ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ପ୍ରମୁଖ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ବିଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଆସିଛି । ଏଥି ସହିତ ଓଡ଼ିଶାବାସୀଙ୍କର ଆଶା ଆକାଂକ୍ଷା ଏବଂ ଆବଶ୍ୟକତାକୁ ପୂରଣ କରି ମୋ ସରକାର କାର୍ଯ୍ୟକ୍ରମ ଆଜି ସଫଳ ରୂପାୟନ ହୋଇଛି ।
ଇଟିଭି ଭାରତ, କଟକ