କଟକ: ଭକ୍ତ-ଭଗବାନଙ୍କ ମିଳନ ପାଇଁ ଧର୍ମ ନୁହେଁ ଦରକାର ଭକ୍ତି । ଏଇଥିପାଇଁ ତ ଦିନେ ଭକ୍ତ ସାଲବେଗ ର ମନ କଥା ଶୁଣିଥିଲେ କାଳିଆ ଠାକୁର । ଆଉ ଅଟକିଯାଇଥିଲା ନନ୍ଦିଘୋଷ । ଏକବିଂଶ ଶତାବ୍ଦୀର ଏଭଳି ଆଉ ଜଣେ ସାଲବେଗ ହେଲେ କଟକ କିଶନ ନଗର ପ୍ରହରାଜପୁର ଗ୍ରାମର ସାମ ଚାଚା ଓରଫ ଅବଦୁଲ ସମ୍ମଦ ନିଜାମି । ଜାତିରେ ମୁସଲମାନ ହେଲେ ବି ତାଙ୍କ ଭାବର କଣ୍ଠରୁ ବେଶ ବାରିହୋଇ ପଡୁଛି ମହାପ୍ରଭୁଙ୍କ ପ୍ରତି ଥିବା ଅହେତୁକ ଭକ୍ତି । ଆଉ ସଂଗୀତ ସାଧନାରେ ନିମଜ୍ଜିତ ରହି ବିଶ୍ୱ ନିଅନ୍ତାଙ୍କ ନିକଟରେ ସେ ଅର୍ପଣ କରିଚାଲିଛନ୍ତି ଭକ୍ତିର ନୈବେଦ୍ୟ ।
55 ବର୍ଷୀୟ ସାମ ଚାଚା। ଯିଏ ଆଜନ୍ମ ଅନ୍ଧ । ଦୁନିଆ ଦେଖିବା ତାଙ୍କର ସ୍ୱପ୍ନ । ହେଲେ ସେ ଅକ୍ଷମ । 1974 ମସିହାରେ କଟକ କଳାବିକାଶ କେନ୍ଦ୍ର ରେ ଯୋଗ ଦେଇଥିଲେ ସେ । ଭଜନ ସମ୍ରାଟ ଭିକାରୀ ବଳ ଙ୍କୁ ଗୁରୁ କରି ଶିଖିଥିଲେ ଭଜନ ଓ ଜଣାଣ। ଭଜନ ଦୁନିଆ ରେ ଏପରି ହଜି ଯାଇଥିଲେ ଯେ ଗୁରୁ ଯେଉଁ ମାର୍ଗ ରେ ଯାଉଥିଲେ ସେହି ମାର୍ଗ କୁ ବାଛିନେଲେ ସାମ ଚାଚା । ଆଉ ଜୀବନ ତମାମ ଜଗନ୍ନାଥ ଭଜନ ଗାଇବା ପାଇଁ କରିନେଲେ ସ୍ଥିର । ତେବେ ସେହି ଦିନଠୁ ଆଜି ପର୍ଯ୍ୟନ୍ତ ସେ ଗାଇ ଚାଲିଛନ୍ତି ମହାପ୍ରଭୁଙ୍କ ଭଜନ ।
ହେଲେ ସାମ ଚାଚାଙ୍କ ଏତେ ସୁନ୍ଦର କଷ୍ଠ ପଛରେ ରହିଛି ଅକଳନୀୟ ସଂଘର୍ଷର କାହାଣୀ । ଭଜନ କାର୍ଯ୍ୟକ୍ରମ ଓ ପିଲାଙ୍କୁ ଗୀତ ଶିଖାଇ ଯାହା ରୋଗଜାର କରନ୍ତି ସେଥିରେ ଚଳେ ତାଙ୍କ 6 ପ୍ରାଣୀ କୁଟୁମ୍ବ । ହେଲେ କୋରୋନା ପରଠୁ ସବୁ ବନ୍ଦ ପଡିଛି । ଗାଁରେ ରହିଥିବା ଝାଟିମାଟି ଘରେ କଷ୍ଟେମଷ୍ଟେ ଜୀବନ ବିତଛାଉଛନ୍ତି ପୂରା ପରିବାର ।
କଳା ସାଆନ୍ତଙ୍କ ନିକଟରେ ସମର୍ପିତ ସାମ ଚାଚା ଦୁନିଆ ଦେଖିନାହାନ୍ତି ସତ , ହେଲେ ସମାଜରେ ଜାତିପ୍ରଥା , ସାମ୍ପ୍ରଦାୟିକବାଦର ଅନ୍ଧପୁଟୁଳି ପିନ୍ଧୁଥିବା ଲୋକଙ୍କ ଆଖିର ପରଳ ହଟାଇଛନ୍ତି .. ଆଉ ଏଭଳି ଜଣେ ପ୍ରତିଭାବାନ କଷ୍ଠଶୀଳ୍ପିଙ୍କୁ ପ୍ରୋତ୍ସାହନ ସହ ତାଙ୍କ ପରିବାର ପ୍ରତି ଦୃଷ୍ଟି ନିକ୍ଷେପ ଆବଶ୍ୟକ ରହିଛି ..
କଟକରୁ ପ୍ରଭୁ କଲ୍ୟାଣ ପାଳ,ଇଟିଭି ଭାରତ