କଟକ: ଅସୁରକ୍ଷିତ ଗଜରାଜ । ପୁଣି ଏକ ଦନ୍ତାକୁ ଗୁଳି । ଆହତ ଅବସ୍ଥାରେ ଜଙ୍ଗଲରେ ଘୁରି ବୁଲୁଛି ଦନ୍ତା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ଚତରାପଦା ସଂରକ୍ଷିତ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଆହତ ଦନ୍ତାହାତୀ ଅସୁସ୍ଥ ହୋଇ ବୁଲୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ, ଏକ 25 ରୁ 30 ବର୍ଷର ଦନ୍ତା ହାତୀଟି ପୂର୍ବ ବନାଞ୍ଚଳର ଚତରାପଦା ତଥା ନୂଆଗଡ ବୁଢ଼ାବୁଢ଼ୀ ଘାଟିର ପାଦଦେଶରେ ଥିବା ଜଙ୍ଗଲ ଭିତରେ ବୁଲୁଛି । ହାତୀର ପଛ ପାଖରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ମାତ୍ର ବନ ବିଭାଗ ଏନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।
ହାତୀର କ୍ଷତକୁ ଦେଖି ହାତୀକୁ କେହି ଶିକାରୀ ଗୁଳି କରିଥିବା ସନ୍ଦେହ କରାଯାଉଛି । ଆହତ ହାତୀକୁ ବନ ବିଭାଗ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି । ଘଟଣାସ୍ଥଳରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ଉପସ୍ଥିତ ଥିବାବେଳେ ତାଙ୍କ ସହ ବନ ବିଭାଗର କର୍ମଚାରୀ ଉପସ୍ଥିତ ଅଛନ୍ତି । ପ୍ରକୃତରେ ହାତୀକୁ କେହି ଗୁଳି ମାରିଛି ନା ହାତୀ ସହିତ ହାତୀର ଲଢେଇ ଯୋଗୁଁ ହାତୀ ଆହତ ହୋଇଛି ତାହା ହାତୀକୁ ଆୟତ୍ତ କଲା ପରେ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, କଟକ