ନିଆଳି: ଜନ୍ମରୁ ଦେଖିବା ଶକ୍ତି ହରାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତର ଧନି ଭୋଇ । ଆଖି ନାହିଁ ବୋଲି ଆଧାର କାର୍ଡ ବି ହୋଇପାରୁନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ ବି ସାତସପନ ହୋଇଛି । କେଇଟା ଟଙ୍କା ଭତ୍ତାକୁ ଛାଡି ଦେଲେ ସମ୍ବଳ ବୋଲି କିଛି ନାହିଁ ଧନି ଭୋଇଙ୍କର । ମାଆ ଓ ଭଉଣୀଙ୍କୁ ନେଇ ଜୀବନ ଜୀଇଁବାକୁ କରୁଛନ୍ତି ସଂଗ୍ରାମ । ଏ ପରିସ୍ଥିତିରେ କେବଳ ସରକାରୀ ସହାୟତା ହିଁ ତାଙ୍କ ଦୁଃଖ ଦୂର କରିପାରିବ ।
ଗରିବ ଅସହାୟଙ୍କ ପାଇଁ ରାଜ୍ୟରେ ସରକାରଙ୍କ ମାଳମାଳ ଯୋଜନା । ହେଲେ ସେ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ଯୋଜନାରେ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଗରିବଙ୍କ ପାଖ ମାଡୁ ନାହିଁ ସରକାରୀ ଯୋଜନା । ଯୋଜନାରୁ ବଞ୍ଚିତ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତର ୧୧ ନମ୍ବର ଓ୍ବାର୍ଡର ଧନି ଭୋଇଙ୍କ ଦୁଃଖ କହିଲେ ନ ସରେ । ୧୨ ବର୍ଷ ତଳେ ବାପାଙ୍କୁ ହରାଇଥିଲେ । ଭଉଣୀ ରେଣୁ ଓ ମାଆଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ଧନି । ବୁଢୀ ମାଆ ହିଁ କେବଳ ତାଙ୍କ ଆଶାବାଡି । ହେଲେ ସେ ବି ୨୦ ବର୍ଷ ହେବ ଗୋଟିଏ ଆଖି ହରାଇଛନ୍ତିିି । ଏ ପରିବାର ପାଇଁ ମୁଣ୍ତ ଗୁଞ୍ଜିବାକୁ ନାଁ ଅଛି ପକ୍କା ଘର ନା ମିଳୁଛି ସରକାରୀ ସହାୟତା । ଦୁର୍ଦ୍ଦିନରେ ଦିନ କାଟୁଛି ଏହି ପରିବାର ।
ଅସୁବିଧା ନେଇ ବାରମ୍ବାର ସରପଞ୍ଚଠୁ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ହେଲେ କେଇଟା ଟଙ୍କା ଭତ୍ତା ଦେଇ ସରକାର କାମ ସାରି ଦେଇଛନ୍ତି । ଏତେ ଅଭାବ ଅନଟନରେ ଜୀବନ ବିତାଉଥିବା ପରିବାର ସମସ୍ୟା ପ୍ରତି ବାଲିଅନ୍ତା ବ୍ଲକ ପ୍ରଶାସନ ଆଖି ବୁଜି ଦେଇଛି । ସମସ୍ୟା ସମ୍ପର୍କରେ ପ୍ରତାପରୁଦ୍ରପୁର ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ । ହେଲେ ଏ ଯାଏଁ କିଛି ସୁଫଳ ମିଳିନାହିଁ । ସରପଞ୍ଚଙ୍କ ପ୍ରତିକ୍ରିୟା ନେବାରୁ ସେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜଣାଇଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସରପଞ୍ଚ ।
ଭାତ ହାଣ୍ଡିରୁ ଗୋଟିଏ ଭାତ ପରଖିଲା ପରି ଏହି ଅଭାବୀ ପରିବାରକୁ ଦେଖିଲେ ଯୋଜନାର ସଫଳ କାର୍ଯ୍ୟକାରିତା ସ୍ପଷ୍ଟ ବାରି ହୋଇ ପଡୁଛି । କେବେ ଏହି ପରିବାର ସରକାରୀ ଯୋଜନାରେ ସାମିଲ ହେଉଛି ଆଉ ସମସ୍ୟାର ସମାଧାନ ହେଉଛି ତାହା ଦେଖିବା ବାକି ରହିଲା ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ