କଟକ: ଦୀର୍ଘ ୧୯ ବର୍ଷ ପରେ ଓଡିଶା ହାଇକୋର୍ଟରେ ଆଜି ହେବ ବହୁଚର୍ଚ୍ଚିତ 1999 ଗଣଦୁଷ୍କର୍ମ ଘଟଣାର ଶୁଣାଣି। ୨୨ ବର୍ଷ ତଳେ ୧୯୯୯ ମସିହାରେ ବାରଙ୍ଗରେ ଘଟିଥିବା ଏହି ଗଣଦୁଷ୍କର୍ମ। ତେବେ ଗତ 22 ତାରିଖରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ଏହି ଘଟଣା ପୁଣି ଚର୍ଚ୍ଚାକୁ ଫେରିଛି।
![1999 ଗଣ ଦୁର୍ଷ୍କମ ମାମଲା, ୧୯ ବର୍ଷ ପରେ ଆଜି ହାଇକୋର୍ଟରେ ଶୁଣାଣି](https://etvbharatimages.akamaized.net/etvbharat/prod-images/img-20210301-wa00011614566107040-75_0103email_1614566118_571.jpg)
ବିବନକୁ ଗିରଫ କରିବାରେ ସିବିଆଇ ବିଫଳ ହେବା ଓ ତଦନ୍ତରେ ଶିଥିଳତା ଅଭିଯୋଗ କରି ପୀଡ଼ିତା ୨୦୦୨ ମସିହାରେ ଏହି ମାମଲା ଦାୟର କରିଥିଲେ। ଦୁଷ୍କର୍ମ ଘଟଣାରେ ସିଧାସଳଖ ଜଡିତ ଓ ଘଟଣା ପଛରେ ହାତଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଥିଲେ ପୀଡିତା । ସେତେବେଳେ ସିବିଆଇକୁ ନୋଟିସ ହେବା ସହ ସିବିଆଇ ମଧ୍ୟ ଜବାବ ଦାଖଲ କରିଥିଲା।
ସିବିଆଇ ସତ୍ୟପାଠରେ ବିବନ ବିଶ୍ବାଳକୁ ଗିରଫ କରାଯାଇ ନଥିବା ଓ ଏଥିପାଇଁ ସିବିଆଇ ଉଦ୍ୟମ ଜାରି ରଖିଥିବା ଉଲ୍ଲେଖ କରିଥିଲା। ବିବନ ସମ୍ପର୍କରେ ତଥ୍ୟ ପ୍ରଦାନକାରୀଙ୍କୁ ପୁରସ୍କାର ରାଶି ପ୍ରଦାନ ପାଇଁ ଉଲ୍ଲେଖ ରହିଥିଲା। କିନ୍ତୁ ଏହା ପରେ ମାମଲାର ଶୁଣାଣି ଆଉ ବଢି ପାରି ନଥିଲା।
ବିବନ ଗିରଫ ହେବା ପରେ ସଂଯୋଗବଶତଃ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଖଣ୍ଡପୀଠରେ ପୁଣି ଏହି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ