ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଫୁଲବାଣୀ ଓ ବ୍ରହ୍ମପୁରଠାରେ ଆୟୋଜିତ ଦଳୀୟ ନିର୍ବାଚନୀ ସଭାରେ ଯୋଗ ଦେଇପାରିଲେ ନାହିଁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ନ ପ୍ରାୟ 4.30ରେ ପହଞ୍ଚିଲେ ।
ସୂଚନା ଅନୁଯାୟୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଏୟାର ଟ୍ରାଫିକ ସିଗ୍ନାଲ କ୍ଲିୟରାନ୍ସ ନମିଳିବାରୁ ସେ ନିର୍ଦ୍ଧାରିତ ଦୁଇଟି ନିର୍ବାଚନୀ ସଭାକୁ ଯାଇପାରିଲେ ନାହିଁ । ଅନ୍ୟପଟେ ସନ୍ଧ୍ୟା ହୋଇଯିବାରୁ ଯୋଗୀଙ୍କ ହେଲିକ୍ୟାପ୍ଟର ଉଡାଣକୁ ଅନୁମତି ମିଳିନଥିଲା । ଫଳରେ ଭୁବନେଶ୍ବରରୁ ହିଁ ଲକ୍ଷ୍ନୌ ଫେରିଯାଇଛନ୍ତି ଯୋଗୀ ।
ତେବେ ଫୁଲବାଣୀ ଓ ବ୍ରହ୍ମପୁରରେ ଆୟୋଜିତ ନିର୍ବାଚନୀ ସଭାରେ ପହଞ୍ଚି ନପାରିବାରୁ ଟେଲିଫୋନ ଯୋଗେ ଉଭୟ ସଭାକୁ ସମ୍ବୋଧିତ କରିଛନ୍ତି ଯୋଗୀ ।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ