ଭୁବନେଶ୍ବର: 'ଫନି'କୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ୨୪ଘଣ୍ଟା ଭିତରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ 'ଫନି' । ବାତ୍ୟା 'ଫନି'କୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ପୁରା ଟିମ୍ ଦିନ ରାତି ସତର୍କ ରହିଛନ୍ତି । କାର୍ଯ୍ୟାଳୟ ପରିସରରେ ଏକ ବଡ ସ୍କ୍ରିନ ଲଗା ଯାଇଛି । କେବଳ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ନୁହେଁ ଅନ୍ୟ ବିଶ୍ବସ୍ତରୀୟ ଏଜେନ୍ସି ରିପୋର୍ଟ କଣ କହୁଛି, ସେମାନଙ୍କ ଆକଳନ କଣ ରହିଛି ତାର ମଧ୍ୟ ଅନୁଧ୍ୟାନ କରାଯାଉଛି।
ପ୍ରତି ମିନିଟ୍ରେ ଏହି କଣ୍ଟ୍ରୋଲ ରୁମ୍ରୁ ଖବର ଅପଡେଟ କରାଯାଉଛି । 1070 ନାମରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ସାରା ସ୍ଥିତିକୁ ଏଠାରୁ ମାନିଟରିଂ କରାଯାଉଛି । ରାଜ୍ୟ ସରକାରଙ୍କୁ ମଧ୍ୟ ଏଠାରୁ ଖବର ଦିଆଯାଉଛି। 24 ଘଣ୍ଟିଆ ସତର୍କ ରହୁଛନ୍ତି କର୍ମଚାରୀ ।
ସବୁ ଦିଗରୁ ସାମୁଦ୍ରିକ ଝଡ 'ଫନି' କୁ ନେଇ ସଜାଗ ଅଛନ୍ତି ରାଜ୍ୟ ସରକାର । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବାତ୍ୟା ସମୟରେ ୧୦୭୦ ଓ ୧୦୬୬ ନମ୍ବରରେ ଯୋଗାଯୋଗ କରିପାରିବେ ଓ ଆବଶ୍ୟକୀୟ ସହାୟତା ପାଇପାରିବେ । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ