ଭୁବନେଶ୍ବର: ପାହାଳ ସାରଳା ମାର୍ବଲ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ ନୁଆ ମୋଡ । ଏହା ହତ୍ୟା କି ଆତ୍ମହତ୍ୟା ତାହା ପୋଲିସ ପାଇଁ ଏକ ବଡ ସନ୍ଦେହ ଘେର ସୃଷ୍ଟି କରିଛି। କାରଣ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିବା ବେଳେ ନୋଟରେ ମୃତ୍ୟୁ ପାଇଁ ବୁବୁନା ଦାୟୀ ବୋଲି ଉଲ୍ଲେଖ ରହିଛି। ତେବେ ପ୍ରଶ୍ନ ଉଠିଛି ଏ ବୁବୁନା କିଏ? ବୁବୁନା ସହ ଗଦାଧରଙ୍କ କି ସମ୍ପର୍କ? କଣ ବୁବୁନା ପାଇଁ ଗଦାଧର ମାନସିକ ଦୁଶ୍ଚିନ୍ତାରେ ରହି ପ୍ରାଣ ହରାଇଛନ୍ତି? ନା ଅନ୍ୟ କୌଣସି କାରଣ ନେଇ ଗଦାଧରଙ୍କୁ କେହି ହତ୍ୟା କରିଛି?
ତେବେ ସମସ୍ତ ଘଟଣା ରହସ୍ୟ ଭିତରେ ରହିଥିବା ବେଳେ ବୁବୁନାକୁ ଖୋଜୁଛି ପୋଲିସ । ଯାହା ଏହି ରହସ୍ୟ ଉପରୁ ପରଦା ହଟାଇବ ବୋଲି ପୋଲିସ ଅନୁମାନ କରୁଛି। ତେବେ ବଡ କଥା ହେଉଛି ହତ୍ୟାକାଣ୍ଡ ପରେ ଦୋକାନ ମାଲିକଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ।
କେବଳ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ମାଲିକକୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିବାକୁ ପଛଘୁଞ୍ଚା ଦେଉଛି ପୋଲିସ । ଯାହାକୁ ନେଇ କମିଶନରେଟ ପୋଲିସର କାର୍ଯକାରିତା ନେଇ ପ୍ରଶ୍ନ ଉଠିଛି । ତେବେ ବିଶେଷ ସୁତ୍ର ଅନୁସାରେ ବୁବୁନା ଓ ଦୋକାନ ମାଲିକଙ୍କ ମଧ୍ୟରେ ରହିଛି ତିକ୍ତତା ।
ଯାହାର ଫାଇଦା ନେବାକୁ ସିକ୍ୟୁରିଟି ଗାର୍ଡକୁ ମୋହରା କରିଥିଲା ବୁବୁନା । ଏପରିକି କିଛି ଟାଇଲ ଚୋରି ଭଳି ଅଭିଯୋଗ ଗଦାଧର ନାଁରେ ଆଣି ଫସାଇବାକୁ ଚାହୁଁଥିଲେ କିଛି କର୍ମଚାରୀ । ଯାହାକୁ ନେଇ ସେ ଚିନ୍ତାରେ ଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ହେଲେ କେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ପରଦା ହଟାଇବ ପୋଲିସ ତାହା ଉପରେ ଏବେ ସମସ୍ତଙ୍କ ନଜର
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ