ଭୁବନେଶ୍ବର: ହିଞ୍ଜିଳିରୁ ନାମାଙ୍କନ ଦାଖଲ କଲେ ନବୀନ । ତାରାତାରିଣୀଙ୍କ ଆଶୀର୍ବାଦ ବି ନେଲେ । ସବୁକିଛି ଠିକଠାକ୍ରେ ହେଲା । ହେଲେ ଭୋଟରଙ୍କ ମନ କିନ୍ତୁ ଗୋଳମାଳ । ନବୀନ ସିନା ଏଠାରୁ ପଞ୍ଚମଥର ପାଇଁ ନାମାଙ୍କନ ଦାଖଲ କରୁଥିଲେ, ହେଲେ ଭୋଟରଙ୍କୁ ଲାଗିଛି ଟିକିଏ ଅଲଗା । ନବୀନ ଯେ ଏବେ ତାଙ୍କର ଅତି ଆପଣାର ହୋଇରହିନାହାନ୍ତି, ପ୍ରଥମଥର ପାଇଁ ହିଞ୍ଜିଳିବାସୀ ଏଭଳି କିଛି ଅନୁଭବ କରୁପାରୁଥିବେ ।
ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଦୁଇ ବିଧାନସଭା ଆସନରୁ ନବୀନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସବୁବେଳେ ହିଞ୍ଜିଳିବାସୀ ନବୀନଙ୍କୁ ପରେ ମୁଖ୍ୟମନ୍ତ୍ରୀ, ପ୍ରଥମେ ସ୍ଥାନୀୟ ବିଧାୟକ ବୋଲି ଭାବିଥାନ୍ତି । ହେଲେ 2ଟି ଆସନରୁ ଲଢିବା ନିଷ୍ପତ୍ତି ପରେ ସ୍ଥାନୀୟ ଭୋଟରଙ୍କ କନଫ୍ୟୁଜନ ବଢିଯାଇଛି । ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ବିଧାୟକ ଭାବରେ ନବୀନ ଏବେ ତାଙ୍କର ହୋଇ ରହିବେ ତ ? ନା ପଶ୍ଚିମ ଓଡିଶାବାସୀଙ୍କ ଭଲ ପାଇବାରେ ବିଜେପୁର ପଳାଇବେ ? କାହିଁକିନା ଜଣେ ଭୋଟର ହିସାବରେ ନିଜ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା କିଏ ବା ନଚାହେଁ । ଏବେ ଏଇ ଆଶଙ୍କା ହିଞ୍ଜିଳିବାସୀଙ୍କ ମନରେ ଘୂରି ବୁଲୁଛି ।
ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେବେ ନାମାଙ୍କନ ପାଇଁ ଆସୁଥିଲେ, ଭୋଟର ଭାବୁଥିଲେ ତାଙ୍କ ବିଧାୟକ ଆସୁଛନ୍ତି । ତାଙ୍କ ହୃଦୟର ନେତା ଆସୁଛନ୍ତି । ହେଲେ ଏବେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପାଇଁ ଆସିଥିଲେ, ଏଭଳି କିଛି ଭୋଟରଙ୍କ ମାନସିକ ସ୍ତରରେ ଚାଲୁଥାଇପାରେ । ହିଞ୍ଜିଳିବାସୀଙ୍କୁ ଲାଗୁଥିବ, ନବୀନଙ୍କ ପ୍ରତି ଥିବା ତାଙ୍କ ଭଲପାଇବାରେ ବୋଧେ ବିଜେପୁରବାସୀଙ୍କ ନଜର ଲାଗିଯାଇଛି । ତାଙ୍କ ହୃଦୟର ବିଧାୟକଙ୍କୁ ଆଉ କିଏ ନେଇଯିବନି ତ ? ନବୀନ ତାଙ୍କର ହୋଇ ରହିବେ ତ ? ଏହି ଡର ଲାଗି ରହିଛି ହିଞ୍ଜିଳିବାସୀଙ୍କ ମନରେ ।
ଓଡିଶା ବିଧାନସଭାର 131 କ୍ରମିକ ଆସନ ହେଉଛି ହିଞ୍ଜିଳି । ଏ ମାଟି ନବୀନଙ୍କୁ ଦେଇଛି ଢେର ଭଲପାଇବା । ଆସୁଆସୁ ଅଜାଡି ଦେଇଥିଲା ସମର୍ଥନ । ପାଟିର ଭାଷା ନବୁଝିଲେ କଣ ହେଲା, ହୃଦୟର ଭାଷା ବୁଝିଥିଲେ ହିଞ୍ଜିଳିବାସୀ । ସେଇଥିପାଇଁ ତ 2000 ମସିହାରେ ହିଞ୍ଜିଳିରୁ 65 ପ୍ରତିଶତ ଭୋଟ ପାଇ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ନବୀନ । 2004ରେ ଏହା ପହଞ୍ଚିଥିଲା 72 ପ୍ରତିଶତରେ ।
2009 ନିର୍ବାଚନ । ନବୀନଙ୍କ ପାଇଁ ଥିଲା ଅଗ୍ନିପରୀକ୍ଷା । ହାତଛାଡି ଦେଇଥିଲା ବିଜେପି । ଭାଙ୍ଗି ଯାଇଥିଲା ମେଣ୍ଟ । ହେଲେ ନବୀନଙ୍କୁ ଏକା ହେବାକୁ ଦେଇନଥିଲେ ହିଞ୍ଜିଳି ଭୋଟର । ବିପୁଳ ସଂଖ୍ୟାରେ ଭୋଟ ଦେଇ ନିଜ ପ୍ରିୟ ନେତାଙ୍କୁ ନିର୍ବାଚିତ କରିଥିଲେ । ପ୍ରଥମଥର ପାଇଁ ଏହି ଆସନରୁ ସର୍ବାଧିକ 76 ପ୍ରତିଶତ ଭୋଟ ନବୀନଙ୍କ ଖାତାକୁ ଯାଇଥିଲା । ବାକି ରହିଲା 2014 ନିର୍ବାଚନ । ଲୋକପ୍ରିୟତା ଥିଲା । କିନ୍ତୁ ଭୋଟ ହାର ସାମାନ୍ୟ ହ୍ରାସ ପାଇଥିଲା । ନବୀନଙ୍କୁ ମିଳିଥିଲା 73 ପ୍ରତିଶତ ଭୋଟ । ଅର୍ଥାତ 2009 ତୁଳନାରେ ନବୀନଙ୍କୁ 3 ପ୍ରତିଶତ କମ ଭୋଟ ମିଳିଥିଲା ।
ବୋଧେ ଏଇଥିପାଇଁ ଅଭିମାନ କରି ନବୀନ ଦୁଇ ଆସନରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଥିବା ଭୋଟର ଭାବୁଛନ୍ତି । ନିର୍ବାଚନ ପରେ ନବୀନ ତାଙ୍କ ସହ ରହିବେ ନା ବିଜେପୁର ପଳାଇବେ, ଏଭଳି କିଛି ଆଶା ଆଶଙ୍କାରେ ହିଞ୍ଜିଳିବାସୀ । ନିଜ ପ୍ରିୟ ନେତାଙ୍କୁ ହରାଇବା ଦୁଃଖ ଏବେ ସେମାନଙ୍କୁ ଘାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ