ଭୁବନେଶ୍ବର: ମେ 23 ତାରିଖ ଗୁରୁବାର ଆସିବ 2019 ମହାସମରର ଅନ୍ତିମ ଫଳାଫଳ। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷରେ କିଏ ଗଢିବ ସରକାର ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏହା ପୂର୍ବରୁ ଚଳିତ ନିର୍ବାଚନକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଫଳାଫଳ ଆସିଯାଇଛି। କିଏ କେତେ ଆସନ ପାଇବ ତାହାର ଏକ ସମ୍ଭାବ୍ୟ ତାଲିକା ମଧ୍ୟ ପ୍ରକାଶିତ ହୋଇଛି।
ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏକଜିଟ ପୋଲ ରିପୋର୍ଟ ଦେଖିବା ପରେ ଛାନିଆ ହୋଇପଡିଛି କଂଗ୍ରେସ। ଯଦିଓ ଏହି ନିର୍ବାଚନୀ ଫଳାଫଳ ସଂଖ୍ୟାକୁ ଦଳ ଗ୍ରହଣ କରିବାକୁ କୁନ୍ଥୁ କୁନ୍ଥୁ ହେଉଛି ହେଲେ ଏହାକୁ ଆପାତତଃ ଗ୍ରହଣ କରି ନେଇଛି। ଏହାସହ ଚୂଡାନ୍ତ ନିର୍ବାଚନ ଫଳାଫଳ ଆସିବ ପୂର୍ବରୁ ଯେମିତି ଆତ୍ମସମର୍ପଣ କରିଦେଇଛି।
ରାଜ୍ୟରେ ସରକାର ଗଠନ କରିବାକୁ ନେଇ ଦମ୍ଭୋକ୍ତି ଦେଖାଉଥିବା କଂଗ୍ରେସ ମୁଖ୍ୟ ବିରୋଧି ବିଜେପି ଏବଂ ବିଜେଡିର ରଣନୀତି ଆଗରେ ଚିତପଟାଙ୍ଗ ମାରିଥିବା ଜଣାପଡୁଛି। କଂଗ୍ରେସ ମ୍ୟାଜିକ ସଂଖ୍ୟା ଛୁଇଁବ, ସରକାର ଗଠନ କରି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଗଣମାଧ୍ୟମରେ ଏଭଳି ଅନେକ ବୟାନ ବାଜି କରୁଥିବା ଖୋଦ୍ ପିସିସି ସଭାପତି ଏବେ ହାତ ଟେକି ଦେଇଛନ୍ତି। ଅନ୍ୟପଟେ ଦଳ ଆମ୍ତସମର୍ପଣ କଲା ଭଳି ସ୍ଥିତିକୁ ଆସିଯାଇଛି।
ଚଳିତ ନିର୍ବାଚନ ସମ୍ପର୍କରେ ମତ ରଖି ରାଜ୍ୟ କଂଗ୍ରସେ ମଙ୍ଗୁଆଳ ସିଧାସଳଖ ଜଣାଇ ଦେଇଛନ୍ତି ଯେ ଲୋକଙ୍କ ଆସ୍ଥାଭାଜନ ଆମେ ହୋଇ ପାରିନାହୁଁ। ସାଙ୍ଗଠନିକ ଦୃଷ୍ଟି କୋଣରୁ ଦଳ ଦୁର୍ବଳ ରହିଛି। ଲୋକଙ୍କ ବିଶ୍ୱାସ ହରାଇଛୁ। ଏଭଳି ବୟାନ ହିଁ ତାଙ୍କର ଆତ୍ମବିଶ୍ୱାସର ଗଭୀରତାର କଥା କହିଛି। ସଭାପତିଙ୍କ କହିବା କଥା ଆମେ 2ରୁ 3ଟି ଲୋକସଭା ଓ 20ରୁ 25 ବିଧାନସଭା ଆସନ ଜିତିବା ପାଇଁ ଲକ୍ଷ ରଖିଥିଲୁ।
ଏବେ ସେତକ ନୁହେଁ, କିପରି ଭାବେ 2014 ନିର୍ବାଚନର ସ୍ଥିତି ବଜାୟ ରହିବ ସେନେଇ ଗୁରୁତ୍ୱ ଦିଆଯାଉଛି। କାରଣ ଯଦି ଦଳି 2019 ନିର୍ବାଚନରେ ପୂର୍ବପେକ୍ଷା ଖରାପ ପ୍ରଦର୍ଶନ କରିବ ତେବେ ତାଙ୍କର ନେତୃତ୍ବ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବ। ନିଜକୁ ଆଶ୍ୱସ୍ତ କରିବାକୁ ଯାଇ ସଭାପତି କହିଛନ୍ତି, ଆମେ ପଞ୍ଚାୟତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କରିବୁ। ଏଥର ଦଳର ଭୋଟ ହାର ବଢିବ ବୋଲି ସେ ଆଶାବାଦୀ ଅଛନ୍ତି। ଏଥରର ନିର୍ବାଚନରେ କଂଗ୍ରେସ କେତେ ମାତ୍ରାରେ ସଫଳ ତାହା ଦଳୀୟ ମଙ୍ଗୁଆଳଙ୍କ ନେତୃତ୍ୱଲ ଉପରେ ନିର୍ଭର କରେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ