ଭୁବନେଶ୍ବର: ଶନିବାର ରାଜଧାନୀରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ଏଠାକାର ନୟାପଲ୍ଲୀ ଥାନା ଆଇଆରସି ଭିଲେଜର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇପଡିଛି। ଚେକିଂ ସମୟରେ ପୋଲିସକୁ ଦେଖି ଅପହରଣକାରୀ ଅପହୃର୍ତ୍ତାଙ୍କୁ ଛାଡି ଚମ୍ପଟ ମାରିଛନ୍ତି।
ଆଇଆରସି ଭିଲେଜ ଅଞ୍ଚଳର ଟ୍ରେଡିଂ ବିଜେନେସମ୍ଯାନ ଦାସଶିବସୁନ୍ଦର ଦାସଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଉଥିଲା ଅପହରଣକାରୀ। ସେମାନେ ତାଙ୍କୁ କଟକ ଅଭିମୁଖେ ନେଉଯାଉଥିବା ବେଳେ ବାଣିବିହାର ଓଭରବ୍ରିଜ ଉପରେ ପୋଲିସ ହାବୁଡରେ ପଡି ଯାଇଥିଲେ। ସେଠାରେ ଥିବା ୟୁଟର୍ଣ୍ଣ ନିକଟରେ ଅପହରଣକାରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇପଡିବାରୁ ଶିବସୁନ୍ଦରଙ୍କୁ ଛାଡି ଦେଇଥିଲେ।
ଅପହରଣକାରୀଙ୍କ ଗାଡିରୁ ପୋଲିସ ଦୁଇଟି ମାଉଜର ସହ କିଛି ମାରଣାସ୍ତ୍ର ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଶିବସୁନ୍ଦରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ ଉଦ୍ଯମ କରାଯାଇଥିଲା। ଏନେଇ ନୟାପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ। ପ୍ରାୟ ୪ରୁ ୫ଜଣ ଏ ଘଟଣାରେ ଜଡିତ ଥିବାବେଳେ, କେଉଁକାରଣରୁ ଅପହରଣ ହୋଇଛି ଏବଂ କାହିଁକି ହୋଇଛି ତାହାର ଖୋଳତାଡ ଚାଲିଛି। ଅଭିଯୁକ୍ତଙ୍କୁ ଧରିବା ଉଦ୍ୟମ ଜାରି ରଖିଛି ପୋଲିସ।
ଭୁବନେଶ୍ବରର ତାପସ ପରିଡା, ଇଟିଭି ଭାରତ