ଭୁବନେଶ୍ବର: ବିଶ୍ବର ସବୁଠାରୁ ପୁରୁଣା ସଭ୍ୟତାକୁ ବଞ୍ଚାଇ ରଖିବା ସହ ଏହାକୁ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଇନଟାକ ଟିମ ଓ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ଏହି ପ୍ରୟାସ । ଓଡିଶାରେ ରହିଥିବା ପ୍ରାଚୀନ ପ୍ରାଚୀ ନଦୀର ଐତିହ୍ୟ ଓ ଇତିହାସକୁ ପୁନରୁଦ୍ଧାର କରିବା ଏହାର ମୂଳ ଉଦ୍ଦେଶ୍ୟ ।
ତେଣୁ ପ୍ରାଚୀ ଭ୍ୟାଲିରେ ରହିଥିବା ମୂର୍ତ୍ତି ଓ କଳାକୁ ନେଇ 18ମାସ ଧରି କରାଯାଇଥିବା ଏକ ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଅନୁସନ୍ଧାନକାରୀ ଅନିଲ ଧୀର । ପ୍ରସ୍ତୁତ ରିପୋର୍ଟକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିବା ସହ ରିପୋର୍ଟରେ ପ୍ରାଚୀ ଭ୍ୟାଲିରେ ବର୍ତ୍ତମାନ ରହିଥିବା ଐତିହ୍ୟ ଓ ଇତିହାସର ଅବସ୍ଥାକୁ ଦର୍ଶାଇଛନ୍ତି ।
ରିପୋର୍ଟ ଅନୁଯାୟୀ ଏହି ଭ୍ୟାଲିରେ ପୂର୍ବରୁ ଥିବା 80ଟି ମନ୍ଦିର, 45ଟି ଘାଟ ଓ 60ଟି ମଠ ମଧ୍ୟରୁ ଅନେକ ନଷ୍ଟ ହୋଇସାରିଛି । ଏଥିସହ ଅନେକ ଧୀରେ ଧୀରେ ଭଗ୍ନ ଅବସ୍ଥାକୁ ଚାଲିଆସିଥିବା ଜଣା ପଡିଛି । ତେଣୁ ଯଦି ସେ ସବୁର ପୁନରୁଦ୍ଧାର କରାଯାଏ ତେବେ ପ୍ରାଚୀ ଭ୍ୟାଲି ଓଡିଶାର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ପାଲଟି ପାରିବ ।
ସୂଚନା ଅନୁସାରେ ବାରଙ୍ଗ ମହାନଦୀରୁ ବାହାରିଥିବା ଏହି ପ୍ରାଚୀନ ନଦୀ ପୂର୍ବେ 70 କିଲୋମିଟର ଦୀର୍ଘ ହୋଇଥିବା ବେଳେ ଏବେ ଏହା ମାତ୍ର 50 କିଲୋମିଟରରେ ପରିଣତ ହୋଇଛି । ତେବେ କିମ୍ବଦନ୍ତୀ କୁହେ କି ପ୍ରାଚୀନ କାଳରେ ପୁରୀ ଶ୍ରୀମନ୍ଦିରର ରୋଷଶାଳଠାରୁ ଆରମ୍ଭ କରି ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ସବୁଠାରେ ଏହି ପ୍ରାଚୀ ଭ୍ୟାଲିର କାଠ ବ୍ୟବହାର ହେଉଥିଲା । ତେଣୁ ଐତିହ୍ୟ ସମ୍ପର୍ଣ୍ଣ ଏହି ଭ୍ୟାଲିର ପୁନରୁଦ୍ଧାର ଅତି ଜରୁରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ