ବୌଦ୍ଧ: ଜିଲ୍ଲାର କୁଚିଆ ମଦଭାଟିକୁ ମହିଳାଙ୍କ ବିରୋଧ । ମଦ ବିକ୍ରିକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସୁଫଳ ମିଳିଲା ନାହିଁ । ଶେଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବାଧ୍ୟ ହୋଇ ଏସପି, ଜିଲ୍ଲାପାଳ ଓ ଅବକାରୀ ଅଧିକାରୀଙ୍କ ଦ୍ବାରସ୍ତ ହୋଇ ଉକ୍ତ ମଦଭାଟିକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଚୋରା ମଦ କାରବାର ଏକ କୁଟୀରଶିଳ୍ପ ହେଲାଭଳି ମନେହେଉଛି । ଗୋଟେ ପଟେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛନ୍ତି । ଅନ୍ୟପଟେ ଗାଁ ଗହଳିରେ ମଦ ବିରୋଧରେ ପ୍ରତ୍ୟେକ ଦିନ ଥାନା ଘେରାଉ ଠାରୁ ଆରମ୍ଭ କରି ରାସ୍ତା ଅବରୋଧ କରାଯାଉଛି । ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବୌଦ୍ଧ ଆସି ଜିଲ୍ଲାପାଳଙ୍କ ସହ ମିଶି ଏସମ୍ପର୍କରେ ଆଲୋଚନା କରିଛନ୍ତି ।
ଜିଲ୍ଲାପାଳ, ଡିଏସପି, ଅବକାରୀ ଅଧିକାରୀ ପ୍ରମୁଖଙ୍କୁ ମହିଳାମାନେ ଭେଟି ସେମାନଙ୍କ ମଦ ଯୋଗୁଁ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏସମ୍ପର୍କରେ ମହିଳା ମାନେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେମାନେ ଚାନ୍ଦା ନେଇ ଚୁପ ବସୁଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଅଞ୍ଚଳରୁ କୁଚିଆ ମଦଭାଟି ବନ୍ଦ କରାନଗଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ