ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇଛି ଅପରାଧ । ଚୋରି, ଲୁଟ, ସାଇବର ଅପରାଧ ଭଳି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାରି ମଧ୍ୟରେ ଗ୍ରାହକ ସେବା କେନ୍ଦ୍ରରୁ ହିତାଧିକାରୀଙ୍କ ଅର୍ଥ ଲୁଟ ହେଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ପଲସାଗୋରା ଅଞ୍ଚଳରେ ଥିବା କିଓସ୍କ ବ୍ୟାଙ୍କିଂ ସେବା କେନ୍ଦ୍ରରୁ ହିତାଧିକାରୀଙ୍କ ଅର୍ଥ ହଡପ ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।
ଜଣେ ଦିବ୍ୟାଙ୍ଗଙ୍କ 45 ହଜାର ଟଙ୍କା କୌଣସି ଦୁର୍ବୃତ୍ତ ଚଞ୍ଚକତା କରି ଉଠାଇନେଇଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ଦୀର୍ଘ 6 ବର୍ଷ ତଳେ ହରଭଙ୍ଗା ବ୍ଲକ ଧଳପୁର ଇଣ୍ଡିଆନ ବ୍ୟାଙ୍କର ପରିଚାଳକ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଧଳପୁର ପଞ୍ଚାୟତରେ 95ଟି SHG ଥିବାବେଳେ ତନ୍ମଧ୍ୟରୁ 40ଟି ମହିଳା ଗୋଷ୍ଠୀଙ୍କ ଲୋନ୍ ଅର୍ଥ ହଡପ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ କରିତକର୍ମା ବ୍ୟାଙ୍କ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ହଡ଼ପ ହୋଇଥିବା ଅର୍ଥ ମହିଳା ହିତାଧିକାରୀଙ୍କୁ ଫେରସ୍ତ ମିଳିନାହିଁ । ତେଣୁ ଏହାର ବିଚାର କରି ଉକ୍ତ ହଡପ ଅର୍ଥ ଫେରସ୍ତ ବ୍ୟବସ୍ଥା ପାଇଁ ଶତାଧିକ ମହିଳା ବୌଦ୍ଧ ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଫେରାଦ ହୋଇଥିଲେ ।
ଇଟିଭି ଭାରତ, ବୌଦ୍ଧ