ବୌଦ୍ଧ: ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି ତାଙ୍କ ପତ୍ନୀ । ସହାୟତା ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପହଞ୍ଚି ନପାରିବାରୁ ଜିଲ୍ଲା ପ୍ରଶାସନ ନିକଟରେ ପୁଣି ଥରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ମହିଳା ଜଣଙ୍କ । ସେପଟେ ଜିଲ୍ଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପଞ୍ଚାୟତ ଗୁଡ଼ିକରେ ଏକପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅଁଳାପାଲି ପଞ୍ଚାୟତରେ ପିଇଓ ଭାବରେ କାର୍ଯ୍ୟ ତୁଲାଇଥିଲେ ଗୋବିନ୍ଦ ଚନ୍ଦ୍ର ସାହୁ । ଚଳିତ ବର୍ଷ ଜାନୁୟାରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଗୋବିନ୍ଦଙ୍କ ପାଇଁ କାଳର ଦିନ ଥିଲା। ସାଧାରଣତନ୍ତ୍ର ଦିବସରେ ଅଁଳାପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ବାଇକ ଯୋଗେ ଘରୁ ବାହାରି ପଡ଼ିଥିଲେ । କିନ୍ତୁ ମୃତ୍ୟୁ ସତେ ଯେମିତି ତାଙ୍କୁ ବାଟରେ ଅନେଇ ବସିଥିଲା । ଗୋବିନ୍ଦ ଅଁଳାପାଲି ପଞ୍ଚାୟତରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବେଳେ ବହିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ପିତାମାତା
ଏହି ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଗୋବିନ୍ଦଙ୍କ ମୃତ୍ୟୁର ଦୀର୍ଘ ସାତ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ଦୁର୍ଘଟଣା ସ୍ଥାନଟି ବାଉଶୁଣୀ ଥାନା ଅନ୍ତର୍ଗତ ଆସୁଥିବା ବେଳେ ପୋଲିସ ପକ୍ଷରୁ ଏହି ସଡକ ଦୁର୍ଘଟଣାର ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ମୃତ ଗୋବିନ୍ଦଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ସେପଟେ ଦୁଇ ଦଫା ଦାବିରେ ଗତ ଏଗାର ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ । ଫଳରେ ବର୍ତ୍ତମାନ ସମସ୍ତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଏକପ୍ରକାର ଅଚଳ ହୋଇ ପଡ଼ିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଇଟିଭି ଭାରତ, ବୌଦ୍ଧ