ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟଜନ୍ତୁ । ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ପାରଦ 42 ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହାର ସୁଯୋଗରେ ବନ୍ୟପ୍ରାଣୀ ଶିକାରୀ ନିଜ ଜାଲ ବିଛାଇବାରେ ଲାଗିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଗଛକାଟି ବେଆଇନ ଗଞ୍ଜେଇ ଚାଷ ସହିତ ବନାଗ୍ନି ଯୋଗୁଁ ବନ୍ୟପ୍ରାଣୀ ଜନବସତି ମୁହାଁ ହୋଇପଡୁଛନ୍ତି ।
ଗତ ଚାରି ଦିନ ପୂର୍ବରୁ କଣ୍ଟାମାଳ ବନାଞ୍ଚଳରେ ଏଭଳି ଏକ ସମ୍ବରର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ଗତକାଲି(ଶନିବାର) ରାତିରେ ବରଗାଁ ପଞ୍ଚାୟତର ଡୁମାଲପଖାଲ ଗ୍ରାମର ଜଣେ ବୃଦ୍ଧାଙ୍କୁ ଏକ ହାତୀ ଦଳିଚକଟି ମାରି ଦେଇଛି । ମନମୁଣ୍ଡା ବନାଞ୍ଚଳ ଶିକାରୀଙ୍କ ଅଭୟାରଣ୍ୟ ପାଲଟି ଥିବା ବେଳେ ଚଳିତ ମାସର ୧୦ ଦିନ ମଧ୍ୟରେ ବୌଦ୍ଧ ବନାଞ୍ଚଳରେ ୧୧ଟି ମାମଲା ରୁଜ୍ଜୁ ହୋଇସାରିଲାଣି ।
ସେପଟେ ବୌଦ୍ଧ ବନାଞ୍ଚଳର ବରଝୁଲି ଗ୍ରାମରେ ଏକ ବଜ୍ରକାପ୍ତାର ଡିଲ ଚାଲିଥିବା ବେଳେ ବଜ୍ରକାପ୍ତା ନିଖୋଜ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏକ ବଜ୍ରକାପ୍ତାକୁ ବୌଦ୍ଧ ଜିଲ୍ଲାର ଦୁଇ ଜଣ ଯୁବକ ଏକ ଲକ୍ଷ କୋଡିଏ ହଜାର ଟଙ୍କାରେ କ୍ରୟ କରି ବରଝୁଲି ଗ୍ରାମକୁ ଆଣି ଗାଁ ବନ୍ଧ ନିକଟରେ ବିକ୍ରି ପାଇଁ ମସୁଧା ଚଳାଇଥିଲେ ।
ତେବେ ଏଭଳି ଡିଲ ଚାଲିଥିବା ବେଳେ ବଜ୍ରକାପ୍ତା ନିଖୋଜ ହେବାରୁ କଥା ପ୍ରଘଟ ହୋଇ ବନ ବିଭାଗ ନିକଟରେ ପହଞ୍ଚିଲା । ବନ ବିଭାଗ ଉକ୍ତ ଦୁଇ ଯୁବକଙ୍କୁ ଅଟକ ରଖି ଦୁଇ ଦିନ ହେଲା ପଚରାଉଚରା ତଥା ବଜ୍ରକାପ୍ତାର ସନ୍ଧାନରେ ଲାଗିଥିଲେ ମଧ୍ୟ କୌଣସି ସଫଳତା ପାଇନାହିଁ । ଜିଲ୍ଲାରେ ଚାଲିଥିବା ବନ୍ୟପ୍ରାଣୀ ଶିକାର ତଥା ତଷ୍କରୀ ପଛରେ କିଛି ବନ କର୍ମଚାରୀଙ୍କ ହାତ ଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ ବନ୍ୟପ୍ରାଣୀ ବିଶେଷଜ୍ଞ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ