ବୌଦ୍ଧ: ଅସହାୟଙ୍କ ପାଇଁ ଅଲୋଡା ସରକାରୀ ଯୋଜନା । ଦୀର୍ଘ ବର୍ଷେ ହେଲା ସ୍ବାମୀଙ୍କ ମୃତ ଶରୀରକୁ ଖୋଜୁଛି ସ୍ତ୍ରୀ । ମୃତଦେହ ନମିଳିବାରୁ ସ୍ତ୍ରୀ ବିଧବା ହୋଇ ରହିଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ପଞ୍ଚାୟତରେ ।
ସୂଚନାଅନୁସାରେ, ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଗୁରୁଜୀମୁଣ୍ଡା ଗ୍ରାମର ନିରଞ୍ଜନ କହଁର ଗତ ପ୍ରାୟ ବର୍ଷେ ତଳେ ସାଲୁଙ୍କୀ ନଦୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ନିରଞ୍ଜନଙ୍କ କୌଣସି ପତ୍ତା ମିଳିନଥିଲା ।ସେପଟେ ନିରଞ୍ଜନଙ୍କ ପତ୍ନୀ ବିଧବା ଭାବରେ ଗତ ବର୍ଷେ ହେଲା ରହିଥିବା ବେଳେ ସେ ଓ ତାଙ୍କ ଦୁଇ କୁନି ଝିଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ତେବେ ଏ ସମ୍ପର୍କରେ ବଘିଆପଡା ଫାଣ୍ଡିରେ କୌଣସି ଲିଖିତ ଅଭିଯୋଗ କିମ୍ବା ମୃତ ଶରୀର ଉଦ୍ଧାର ହୋଇ ନଥିବା କାରଣରୁ ମୃତ୍ୟୁବରଣ କରି ମଧ୍ୟ ମୃତକଙ୍କ ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରୁ ନାହିଁ । ତେବେ ସରକାରୀ ସହାୟତା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ନିରଞ୍ଜନଙ୍କ ସ୍ତ୍ରୀ ସବିତା ଗୁହାରି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ