ବୌଦ୍ଧ: ଆକ୍ସନମୁଡରେ ଭିଜିଲାନ୍ସ ବିଭାଗ । ବର୍ଷ ଶେଷ ସୁଦ୍ଧା ଚାରି ଚାରିଟି ଘଟଣାରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ସମବାୟ ସମିତିର ସଂପାଦକଙ୍କ ଘରେ ଓ କାର୍ଯ୍ୟାଳୟରେ ସୋମବାର ଭିଜିଲାନ୍ସ ଚଢାଉ କରିଛି ।
ଜିଲ୍ଲାର ଉମା ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ବ୍ରହ୍ମପୁର, ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ସୋମବାର ଅଚାନକ ଭାବରେ ଭିଜିଲାନ୍ସ ସନ୍ତୋଷ ରାଉତଙ୍କ ଘରେ ପହିଞ୍ଚି ଚଢାଉ କରିଥିଲା । ତାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ବି ଚଢାଉ ହୋଇଛି । ଚଢାଉରେ ଗୃହ,ଜମି,ନଗଦ ଟଙ୍କା, ଗାଡିମୋଟର, ସୁନା ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀର ଆକଳନ କରିଛି ଭିଜିଲାନ୍ସ ପୋଲିସ ।
ସେପଟେ ଭିଜିଲାନ୍ସ ପକ୍ଷରୁ ଏହି ଉଦ୍ୟମକୁ ବୁଦ୍ଧିଜୀବି ମହଲରେ ସ୍ବାଗତ କରାଯାଇଛି । ଡେରିରେ ହେଉ ପଛେ ଭିଜିଲାନ୍ସ ପକ୍ଷରୁ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି । ଗତକାଲି ରାଜ୍ୟ ସରକାର ଦୁର୍ନୀତି ଦୂର କରିବାକୁ ସମସ୍ତ ଅଧିକାରୀଙ୍କୁ ତାଙ୍କ ସମ୍ପତି ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଖାଲି ଛୋଟ ଛୋଟ କର୍ମଚାରୀ ନୁହେଁ ବଡ ବଡ ଦୁର୍ନୀତି କରୁଥିବା ଲୋକଙ୍କ ଉପରେ ସରକାର ନଜର ରଖିବା ନେଇ ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବି ମନୋରଞ୍ଜନ ଦାସ । ଏହା ସହ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ, ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ