ବୌଦ୍ଧ: ସାମୁଦ୍ରିକ ବାତ୍ୟା ‘ୟସ୍’ ପ୍ରଭାବରେ 3 ଦିନ ଧରି ବର୍ଷା ଯୋଗୁଁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ କୋରୋନା ଜନିତ ଲକଡାଉନ ଓ ଅନ୍ୟପଟେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବୌଦ୍ଧ ଜିଲ୍ଲାରେ ଗତ 25 ତାରିଖରୁ ସାମୁଦ୍ରିକ ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଗୁରୁବାର ଅପରାହ୍ନରେ ବର୍ଷା ଛାଡିଛି ।
ତେବେ ଲଗାଣ ବର୍ଷା ଯୋଗୁଁ ଉଭୟ ପନିପରିବା ଚାଷୀ ଓ ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ କୋରୋନା ଜନିତ ଲକଡାଉନ ବଜାର ଉପରେ ଗଭୀର ପ୍ରଭାବ ପକାଇ ଥିବା ବେଳେ ଅନ୍ୟପକ୍ଷେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ, କୁନ୍ଦୁରି, ଗୁଆଁର, ତରଭୁଜ ଭଳି ଫଳ ପନିପରିବା କ୍ଷତି ହୋଇଛି ।
ବଜାର ମାନ୍ଦା ଯୋଗୁଁ ଚାଷୀ ଅଦରଦରରେ ପନିପରିବା ବିକ୍ରି କରୁଛି ନଚେତ ମାଗଣାରେ ବାଣ୍ଟି ଦେଉଛନ୍ତି । ଏଭଳି ସମୟରେ ପରିବା ଚାଷୀଙ୍କ ପ୍ରତି କୃଷି ବିଭାଗ ଓ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସହାୟତା କରିବାକୁ ଚାଷୀ ମହଲରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ