ବୌଦ୍ଧ: ଏକମାତ୍ର ପୌରାଞ୍ଚଳର ଜାଗା ମିଶନରେ ବ୍ୟାପକ ସମସ୍ୟା ଦେଖାଦେଇଛି । ସ୍ଥାନୀୟ ତଥା ଉପଯୁକ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଭୂମିହୀନ ପ୍ରଜାଙ୍କୁ ସହରାଞ୍ଚଳରେ ଥଇଥାନ ପାଇଁ ସରକାର ଜାଗା ମିଶନର ଶୁଭାରମ୍ଭ କରିଥିଲେ । କିନ୍ତୁ ବୌଦ୍ଧ ଜିଲ୍ଲାର ଏକମାତ୍ର NACରେ ଏହି ଯୋଜନା ବ୍ୟାପକ ସମସ୍ୟାରେ ଛନ୍ଦି ହୋଇଯାଇଛି । ୧୭ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ପୌରାଞ୍ଚଳରେ ଅନେକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ କେତେକ ବସ୍ତିରେ ସ୍ଥାନୀୟ ତଥା ଉପଯୁକ୍ତ ହିତାଧିକାରୀଙ୍କୁ ଏହି ଜାଗା ମିଶନରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି ।
ଅନେକ ସ୍ଥାନରେ ଗ୍ରାମାଞ୍ଚଳର ବ୍ୟାପକ ଜମିଭୂମି ଥିବା ତଥା ଧନୀ ଶ୍ରେଣୀୟ ଲୋକଙ୍କୁ ଏହି ଜାଗା ମିଶନରେ ସାମିଲ କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ଥାନୀୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାନଯାଇ ରାଜ୍ୟ ବାହାରର ଅଣ ଓଡିଆ ଲୋକଙ୍କୁ ଘର ଡି଼ହ ଯୋଗାଇ ଦିଆଯାଇଛି । ଫଳରେ ଆଜି ମଧ୍ୟ ଅନେକ ଲୋକ ଅସ୍ଥାୟୀ ଭାବରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ