ବୌଦ୍ଧ: ବଣ ପାହାଡ ଘେରା ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଆଦୌ ପହଞ୍ଚି ପାରୁନଥିବା ଅଭିଯୋଗରେ ପାଞ୍ଚଟି ଗ୍ରାମବାସୀ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଅଞ୍ଚଳର ପାଞ୍ଚଟି ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେବେ ବୌଦ୍ଧ ଜିଲ୍ଲାର ପାଞ୍ଚ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଟିକରପଡା ପଞ୍ଚାୟତରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକେ । ଏହି ପଞ୍ଚାୟତର ଅନେକ ଅଞ୍ଚଳକୁ ସବୁ ଦିନିଆ ରାସ୍ତା ନଥିବାରୁ ସରକାରଙ୍କ ବିକାଶମୂଳକ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟିକରପଡା ପଞ୍ଚାୟତର ଦମଣ୍ଡା, ଗୁରୁଜୀମୁଣ୍ଡା, ଶାସନମୁଣ୍ଡା, ସାଲଦରଙ୍ଗା, ଲକଡପାଜୁ, ଲିମଖୋଲି ଭଳି ପାଞ୍ଚରୁ ଊର୍ଦ୍ଧ୍ବ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଗୁରୁବାର ଏନେଇ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଗୁରୁଜୀମୁଣ୍ଡାରେ ଏକତ୍ରିତ ହୋଇ ସାମୂହିକ ଭାବରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ