ବୌଦ୍ଧ: ବୋରୱେଲ ଖନନର 6 ବର୍ଷ ପରେ ଆସିଲା ବିଦ୍ୟୁତ ବିଲ । କିନ୍ତୁ ବୋରୱେଲରେ ନା ଲାଗିଛି ମୋଟର ନା ହୋଇଛି ବିଦ୍ୟୁତ ସଂଯୋଗ । ଫଳରେ ସେଥିରୁ ପାଣି ନବାହାରିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ଏତେ ବର୍ଷ ପରେ ହିତାଧିକାରୀଙ୍କ ନିକଟକୁ ଆସିଛି ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ । ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ କାଶଲପୁର ଗ୍ରାମର ପାଞ୍ଚ ଜଣ ହିତାଧିକାରୀ ଗତ 2015 ମସିହାରେ ଚାଷ ପାଇଁ ନିଜ ଜମିରେ ବୋରୱେଲ ଖନନ କରିଥିଲେ । କିନ୍ତୁ ଜଳ ଉତ୍ସ ନବାହାରିବାରୁ ତାହା ଅସଫଳ ହୋଇଥିଲା । ଫଳରେ ସେଠାରେ ମୋଟର ବସାଯାଇ ନଥିଲା କିମ୍ବା ବିଦ୍ୟୁତ ସଂଯୋଗ ହୋଇନଥିଲା । କିନ୍ତୁ ବର୍ତ୍ତମାନ ଦୀର୍ଘ 6 ବର୍ଷ ପରେ ହଠାତ ଉକ୍ତ ଚାଷୀଙ୍କ ନିକଟକୁ ଆସିଛି ଏକ ଲମ୍ବା ବିଦ୍ୟୁତ ବିଲ । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।
କେଉଁ ହିତାଧିକାରୀଙ୍କ କୋଡିଏ ହଜାର ତ ଆର କେଉଁ ହିତାଧିକାରୀଙ୍କ ନିକଟକୁ ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ବିଲ ଆସିଛି । ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ