ବୌଦ୍ଧ: କୋରୋନାର ତୃତୀୟ ଲହରକୁ ନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସମୟରେ କୋଭିଡର ତୃତୀୟ ଲହରକୁ ନେଇ କୌଣସି ସୂଚନା ନଥିଲେ ମଧ୍ୟ କେତେକ ଶିଶୁ ଏହାଦ୍ବାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସେପଟେ ତୃତୀୟ ଲହର ପୂର୍ବରୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦୁଇ ଜଣ ବିଶେଷଜ୍ଞ ଜିଲ୍ଲା ଗସ୍ତ କରି ଏନେଇ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଜିଲ୍ଲାର ଟୀକାକରଣ ଠାରୁ ଆରମ୍ଭ କରି ଆରଟି ପିସିଆର ଟେଷ୍ଟ ପର୍ଯ୍ୟନ୍ତ ସବୁ ଦିଗ ସମ୍ପର୍କରେ ସିଡିଏମଓ ସୂଚନା ଦେଇଛନ୍ତି ।
ତେବେ ଗତ ସପ୍ତାହରେ କୋଭିଡ କେୟାର ଠାରେ ଚାଲିଥିବା ଟୀକାକରଣ ସମୟରେ ଦେବଗଡ଼ ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ସିଡିଏମଓ ସୂଚନା ଦେଇଛନ୍ତି । ସେପଟେ ଗତ ଜନ୍ମାଷ୍ଟମୀ ଦିନ ବଲାସିଙ୍ଘା ଆଇଆରବି କ୍ୟାମ୍ପସ ମଧ୍ୟରେ ଘଟିଛି ଏକ ଅଘଟଣ । ସୂଚନାନୁସାରେ ଜଣେ ଆଇଆରବି (IRB) ଡ୍ରାଇଭର ଯବାନଙ୍କ ଉପରେ ଉକ୍ତ ଆଇଆରବିର(IRB) ଏକ ବସ ଚଢିଯିବାରୁ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ସପ୍ତାହେ ପୁରିବାକୁ ବସିଛି ହେଲେ ଏହାର ତଦନ୍ତ ବିଳମ୍ବ ହେଉଥିବା ନେଇ ଜିଲ୍ଲାରେ ଚର୍ଚ୍ଚା ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ