ବୌଦ୍ଧ: ଶୀତଳପାଣି ଠାରେ ଅକ୍ସି ଟୁରିଜିମର ବିକାଶ ପାଇଁ କ୍ଷେତ୍ର ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ । ଏଥିସହିତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀର ବିକାଶ ସହିତ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକାର କିଭଳି ଉନ୍ନତି ହେବ ସେନେଇ ବିଚାର ବିମର୍ଷ କରାଯାଇଛି ।
ଜିଲ୍ଲାର କୋଣ ଅନୁକୋଣରେ ପୁରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ । ଏସବୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ଅକ୍ସି ଟୁରିଜିମ ମାଧ୍ୟମରେ କିଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ଚେଷ୍ଟା ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶୀତଳପାଣି ଜଙ୍ଗଲ ଅଞ୍ଚଳରେ ଅକ୍ସି ଟୁରିଜିମର ସ୍ଥାନ ନିରୂପଣ ପାଇଁ ରବିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ପିଡି ବବିତା ଦଳବେହେରା, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଉପ ଜିଲ୍ଲାପାଳ ଅଶ୍ବିନୀ ମେହେର, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଓ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରା ପ୍ରମୁଖ ଶୀତଳପାଣି ଅଞ୍ଚଳ ପରିଦର୍ଶନ କରିଥିଲେ ।
ଏଥିସହ ଜିଲ୍ଲାର ରାଜାବସା ଓ ସରାଡିଖୋଲ ଅଞ୍ଚଳ ମଧ୍ୟ ବୁଲି ଦେଖିବା ସହ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପଦ୍ମତୋଳା ଅଭୟାରଣ୍ୟ ମଧ୍ୟରେ ବାସ କରୁଥିବା ଆଦିବାସୀ ପରିବାରକୁ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ଓ ସେମାନଙ୍କୁ ଥଇଥାନ କରାଯିବ ସେନେଇ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ