ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜମୁଛି ମେଳା ମହୋତ୍ସବ । ପାରମ୍ପାରିକ ଆଞ୍ଚଳିକ ଉତ୍ସବ ସହିତ କଳା ସଂସ୍କୃତିର ଋତୁ ପାଲଟିଛି ଶୀତ ଋତୁ । ଏହି କ୍ରମରେ ଶୀତୁଆ ସନ୍ଧ୍ୟାରେ ବୌଦ୍ଧରେ ଦୀର୍ଘ ୮ଦିନ ଧରି ଚାଲିଥିବା ଆଧ୍ୟାତ୍ମିକ ଧନୁଯାତ୍ରାର ନାଟ୍ୟ ଉତ୍ସବ ବେଶ ଧୁମଧାମରେ ପାଳିତ ହେଉଛି । ଏହି ଉତ୍ସବରେ ଦର୍ଶକଙ୍କ ନାହିଁନଥିବା ଭିଡ଼ ଜମୁଛି ।
ମହୋତ୍ସବରେ ପାରମ୍ପାରିକ ଖାଦ୍ୟ ତିଆରି ଠୁ ନେଇ ହାତ ତିଆରି ସାମଗ୍ରୀ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛି । ସେହିପରି ମଞ୍ଚରେ ବିଭିିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଆଧ୍ୟାତ୍ମିକ ନାଟକକୁ କଳାକାରମାନେ ଅତ୍ୟନ୍ତ ଜୀବନ୍ତ ଭାବେ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୁଛନ୍ତି । ତେବେ ଲୋକ କଳାକୁ ବଞ୍ଚାଇ ରଖିବା ଏହି ନାଟ୍ୟ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବରିଷ୍ଠ ନାଟ୍ୟକାର ମତପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେର କହିଛନ୍ତି ''ଧନୁଯାତ୍ରା ଆମର ଏଇଠି ଦୀର୍ଘ ୮ଦିନ ଧରି ଚାଲିଛି । ଏହାର ଉଦ୍ଦେଶ୍ୟ ଜନମାନସରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ଓ ଲୋକ କଳାକୁ ବଞ୍ଚାଇ ରଖିବା । ସେହିପରି ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ ପଲ୍ଲବୀ ପଟ୍ଟନାୟକ କହିଛନ୍ତି, ''ଏହା ଆମର ପରମ୍ପରା ଯାତ୍ରା । ପ୍ରତ୍ୟେକ ବର୍ଷ ଏହି ସମୟରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରାକୁ ଦେଖିବାକୁ ଏଠିକାର ବାସିନ୍ଦା ଉତ୍କଣ୍ଠା ସହ ଅପେକ୍ଷା କରିଥାନ୍ତି । ବିଶେଷତଃ ଏଠାରେ କଳାକାରଙ୍କ ଦ୍ବାରା ହେଉଥିବା ନାଟ୍ୟ ମହୋତ୍ସବ ଲୋକଙ୍କୁ ବେଶୀ ଆକୃଷ୍ଟ କରୁଛି । ସେହିପରି ଯାତ୍ରାରେ ପଡ଼ିଥିବା ହାତ ତିଆରି ସାମଗ୍ରୀ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି ।
ଇଟିଭି ଭାରତ, ବୌଦ୍ଧ