ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଜିଲ୍ଲାର କୋଣ ଅନୁକୋଣରେ ଭରି ରହିଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରକୃତି ରାଣୀ ବଣପାହାଡ ଝରଣା ଆଦିରେ ନିଜ ଛାପ ଛାଡିଯାଇଛି ।
ଏଣୁ, ସାରା ଓଡ଼ିଶାରେ ପ୍ରଥମ ଜିଲ୍ଲା ଭାବରେ ଅକ୍ସି ଟୁରିଜିମର ପରିକଳ୍ପନା ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା । ବୌଦ୍ଧ ଜିଲ୍ଲାର କୋଡିଏରୁ ଉର୍ଦ୍ଧ୍ବ ମନୋରମ ସ୍ଥାନକୁ ଚିହ୍ନଟ କରାଯାଇ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ପ୍ରଚେଷ୍ଟା ହୋଇଛି ।
ତେବେ ପର୍ଯ୍ୟଟନ ସହିତ ପରମ୍ପରାର ଏକ ଅପୂର୍ବ ସ୍ଥାନ ରହିଛି ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ । ଏହି ପଞ୍ଚରା ଅଞ୍ଚଳରେ ଏକଦା କନ୍ଧ ସମ୍ପ୍ରଦାୟର ପାଞ୍ଚ ଜଣ ଜମିଦାରଙ୍କ ହୁକୁମ ଚାଲିବା ସହ ଏହି ଅଞ୍ଚଳର ଇଷ୍ଟଦେବୀ ମା’ ମାହେଶ୍ବରୀଙ୍କ ଉପାସନା ପ୍ରଚଳିତ ହୋଇଆସୁଛି ।
ତେବେ ଋଷିବନ୍ଧ ଗ୍ରାମରେ ପ୍ରତ୍ୟେକ ବର୍ଷ ମାର୍ଗଶିର ଶେଷ ଗୁରୁବାର ଦିନ ଚୂଡାଖାଇ ଯାତ୍ରା ନାମରେ ମା’ ମାହେଶ୍ବରୀଙ୍କ ପର୍ବ ପାଳନ କରାଯାଏ । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ପଞ୍ଚରାର ଯାତ୍ରା ଡଙ୍ଗର ବା ପାହାଡ । ଏହି ସ୍ଥାନରେ ମା’ ମାହେଶ୍ବରୀଙ୍କ ଛତର ଯାତ୍ରା ଓ ପାଟଖଣ୍ଡାକୁ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା କରାଯାଏ ।
ଏହି ଅବସରରେ ପରମ୍ପରା ମୁତାବକ ପୀଠରେ ମଦ ଓ ମେଣ୍ଢା ବଳିର ବ୍ୟବସ୍ଥା ହୋଇଥାଏ । ଏହାଛଡା ଏଠାରେ ଆବାଳ ବୃଦ୍ଧ ବନୀତା ଅଶ୍ଳୀଳ ଭାଷାର ଉପଯୋଗ ପରମ୍ପରା ମୁତାବକ କରିଥାନ୍ତି ।
ଏହାକୁ ନେଇ ଅଞ୍ଚଳରେ ନାନା ଲୋକକଥା ଓ କିମ୍ବଦନ୍ତୀ ପ୍ରଚଳିତ । ଏହି ଯାତ୍ରା ଦୀର୍ଘ ଆଠ ଦିନଧରି ପାଳନ କରାଯାଏ । ବୌଦ୍ଧ ଧର୍ମର ମାଟିରେ ଏଭଳି ହଜାର ହଜାର ବର୍ଷ ପରମ୍ପରା ଲାଗି ରହିଥିବା ଯୋଗୁଁ ଏହି ଯାତ୍ରା ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ