ବୌଦ୍ଧ: ମହାନଦୀ ବାଲି ପଠାରୁ ମିଳିଲା ନର କଙ୍କାଳ । ଉଦ୍ଧାର ହୋଇଥିବା କଙ୍କାଳ ମାସେ ତଳେ ନିଖୋଜ ଥିବା ଜଣେ ଯୁବକଙ୍କର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି ।
ସୂଚନାମୁତାବକ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ ଡମ୍ବୁରୁଗଡ ନିକଟ ମହାନଦୀର ବାଲିପଠାରୁ ଏକ ନର କଙ୍କାଳ ଉଦ୍ଧାର ହୋଇଛି । ଗତ ମାସ ତିନି ତାରିଖରେ ବାଉଁଶୁଣୀ ଥାନା ଅନ୍ତର୍ଗତ କମ୍ପରା ଗ୍ରାମର ତିନି ଜଣ ସମ୍ପର୍କୀୟ ବାରହା ଶିକାର ଉଦ୍ଦେଶ୍ୟରେ ଡମ୍ବୁରୁଗଡ ଜଙ୍ଗଲ ଅଞ୍ଚଳରେ ବିଦ୍ୟୁତ ତାର ବିଛାଇ ଥିଲେ । ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ବ୍ୟକ୍ତି ଆସିବାରୁ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଲୁଚାଇବାକୁ ଅନ୍ୟ ଦୁଇଜଣ ତାଙ୍କ ମୃତଦେହକୁ ତିନି କିଲୋମିଟର ବୋହିନେଇ ମହାନଦୀର ବାଲିରେ ପୋତି ଦେଇଥିଲେ ।
ତେବେ ପରିବାର ପକ୍ଷରୁ ଯୁବକଙ୍କ ନିଖୋଜକୁ ନେଇ ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଥିଲା । ରବିବାର ଉକ୍ତ ନର କଙ୍କାଳ ଉଦ୍ଧାର ପରେ ଅନ୍ୟ ଦୁଇ ସହଯୋଗୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ତେବେ ଡମ୍ବୁରୁଗଡ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଚାଲିଥିବା ଏହି ଘଟଣା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ