ବୌଦ୍ଧ: କେଉଁଠି ଖାଲି ପାଣି ପାଣି ତ କେଉଁଠି ଶୁଖା ମରୁଡି ହେବାକୁ ପରିସ୍ଥିତି ଆସିଗଲାଣି । ପ୍ରକୃତିର ଏହି ବନ୍ୟା ମରୁଡି କୋପରେ ଜର୍ଜରିତ ହେଉଛନ୍ତି ରାଜ୍ୟବାସୀ । ରାଜ୍ୟର ପଶ୍ଚିମାଞ୍ଚଳରେ ଏବେ ଅଧିକାଂଶ ସ୍ଥାନରେ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ କିଛି ସ୍ଥାନରେ ପାଣି ରଚାଉଛି ପ୍ରଳୟ ।
ଏହି ସବୁକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ତରଫରୁ ଚାଷୀଙ୍କ ପାଇଁ ବଲାସିଙ୍ଘାଠାରେ ଉଠା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । 24ଲକ୍ଷ 30 ହଜାର ଟଙ୍କା ବ୍ୟୟରେ ସାଲୁଙ୍କୀ ନଦୀରେ ନିର୍ମିତ ହୋଇଥିଲା ଏହି ପ୍ରକଳ୍ପ । ତେବେ ପରିତାପର ବିଷୟ ହେଉଛି ଯେଉଁ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା ସେହି ଲକ୍ଷ୍ୟ ଏବେ ହାସଲ କରିବା ସମ୍ଭବ ନୁହେଁ । କାରଣ ଏହି ପ୍ରକଳ୍ପକୁ ନିର୍ମାଣ କରୁଥିବା ଠିକାଦାର ସଂସ୍ଥାର ମନଇଛା କାର୍ଯ୍ୟ ଯୋଗୁଁ ଏବେ 24ଲକ୍ଷ ପାଣିରେ ଭାସିଯିବା ସହ ଚାଷୀ ମଧ୍ୟ ହତାଶ ।
ଘଟଣାଟି ହେଉଛି ନଦୀ ଗର୍ଭରେ ମୋଟର ପମ୍ପ ବସାଯାଇଛି । ନଦୀ ଗର୍ଭରେ ମୋଟର ନବସାଇବା ପାଇଁ ଗ୍ରାମବାସୀ ଠିକାଦାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଠିକାଦାର କୌଣସି କଥା ଶୁଣିନଥିଲା । ଫଳରେ ଏବେ ସାଲୁଙ୍କୀ ନଦୀରେ ବନ୍ୟା ଆସିବାରୁ ବନ୍ୟା ପାଣିରେ କିଛି ମୋଟର ଭାସିଯିବା ସହ ଆଉ କିଛି ବୁଡି ଯାଇଛି । ଏଭଳି ପରିସ୍ଥିତି ଖାଲି ବଲାସିଙ୍ଘା ଗ୍ରାମରେ ନୁହେଁ କି ସାଲୁଙ୍କୀ ନଦୀରେ ନୁହେଁ ଜିଲ୍ଲାର ବଘିଆପଡା ନିକଟରେ ଦୁଇଟି ଓ ବାଘ ନଦୀରେ ମଧ୍ୟ ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ବୁଡି ଯାଇଥିବା ଜଣା ପଡିଛି ।
ତେବେ ମାତ୍ର ପନ୍ଦର ଦିନ ତଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏପରି ଅବସ୍ଥା ହୋଇଥିବାରୁ ଏହି ଉଠା ଜଳସେଚନର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଆମେ ପରିସ୍ଥିତି ଉପରେ ନଜର ରଖିଛୁ ।
ବୌଦ୍ଧରୁ, ସତ୍ୟ ନାରାୟଣ ପାଣି, ଇଟିଭି ଭାରତ