ବୌଦ୍ଧ: ଗତବର୍ଷ କୋରୋନା ସଂକ୍ରମଣ ଗାଁ କୁ ଆଦୌ ସ୍ପର୍ଶ କରିପାରିନଥିବା ବେଳେ ଚଳିତ ବର୍ଷ ଦ୍ବିତୀୟ ଲହରରେ ସମ୍ପୂର୍ଣ୍ଣ ଗ୍ରାମ କୋରୋନାରେ କବଳିତ । ଜିଲ୍ଲା ରେଡକ୍ରସ ପକ୍ଷରୁ ଗାଁରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଗ୍ରାମବାସୀଙ୍କୁ ମନୋବଳ ସହ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ମହାମାରୀର ଦ୍ବିତୀୟ ଲହର ପ୍ରାଣଘାତୀ ସାଜିଛି । ବିଗତ ଗୋଟିଏ ମାସରେ ବୌଦ୍ଧ ଜିଲ୍ଲାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି କୋରୋନା ମହାମାରୀ । ଗତବର୍ଷ କୋରୋନା ମହାମାରୀ ସମୟରେ ଜିଲ୍ଲାର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମକୁ ସଂକ୍ରମଣ ଆଦୌ ସ୍ପର୍ଶ କରିପାରି ନଥିଲା । ଏ ସମ୍ପର୍କରେ ଇଟିଭି ଭାରତରେ ଖବର ମଧ୍ୟ ପ୍ରସାରିତ ହୋଇଥିଲା ତେବେ ଚଳିତ ବର୍ଷ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା ।
ଜିଲ୍ଲାର ସର୍ବାଧିକ କୋରୋନା ଆକ୍ରାନ୍ତ ଏଠାରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ଗାଁରୁ ଏହା ବିଚ୍ଛିନ୍ନ ଭଳି ରହିଛି । ଭୋଜିଭାତ ଓ ନାମ ସଙ୍କୀର୍ତ୍ତନରୁ ଏହି ଗଣ ସଂକ୍ରମଣ ଆରମ୍ଭ ହୋଇଥିବା ଜଣାପଡିଛି । ବୁଧବାର ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ଉକ୍ତ ଶ୍ୟାମସୁନ୍ଦରପୁର ଗ୍ରାମରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସେଠାରେ ଲୋକଙ୍କୁ ସଚେତନ କରାଯାଇଥିଲା । ଗ୍ରାମବାସୀଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ସହ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା । ସେପଟେ ବୌଦ୍ଧ କୋଭିଡ ସେଣ୍ଟରରେ ପ୍ରଥମ ଥର ପାଇଁ ଏକ 19 ମାସର ଶିଶୁ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସା ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ