ବୌଦ୍ଧ: ପଞ୍ଚାୟତ କାର୍ଯ୍ୟାଳୟ ଚଳାଉଛନ୍ତି କାର୍ଯ୍ୟରତ ଶ୍ରମିକ । ବିନା ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି । ଲୋକଙ୍କ ଦୁଃଖ ବୁଝିବାକୁ ପଞ୍ଚାୟତରେ କୌଣସି ସରକାରୀ ବାବୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହକୁମା ବାଣୀଭୂଷଣପୁର ପଞ୍ଚାୟତରେ ଏଭଳି ଚାଲିଛି ରାସନ ବଣ୍ଟା । ଯାହାକୁ ନେଇ ହିତାଧିକାରୀଙ୍କ ମନରେ ଦେଖାଯାଇଛି ଅସନ୍ତୋଷ ।
ଦୀର୍ଘଦିନରୁ ଏଠାରେ ଏଭଳି ଚାଲି ଆସୁଥିବା ଅଭିଯୋଗ ପାଇବା ପରେ ସ୍ଥିତି ପରଖିବାକୁ ପହଞ୍ଚିଥିଲା ଆମ ଇଟିଭି ଭାରତ । ମାତ୍ର ଆମ ପ୍ରତିନିଧି ପଞ୍ଚାୟତରେ ପହଞ୍ଚିଲା ବେଳକୁ କୌଣସି ସରକାରୀ କର୍ମଚାରୀ ନଥିଲେ । ଏପରିକି ପିଅନ କିମ୍ବା ଜଗୁଆଳି ମଧ୍ୟ ନଥିଲେ । ଆଉ ଶ୍ରମିକଙ୍କ ଦ୍ବାରା ହିତାଧିକାରୀଙ୍କୁ ଚାଲିଥିବା ଚାଉଳ ବଣ୍ଟନ ପ୍ରକ୍ରିୟା ।
ଆଉ ସବୁଠୁ ବଡ କଥା ହେଲା,କିଏ କେତେ ଚାଉଳ ପାଇବେ ତାର ନିଷ୍ପତ୍ତି ନେଉଛନ୍ତି ଶ୍ରମିକ । ଏପଟେ ଦୂର ଦୂରାନ୍ତରୁ ଆସୁଥିବା ଗରିବ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମଧ୍ୟ ଚାଉଳ ପାଉ ନଥିବା ଦେଖାଯାଇଥିଲା ।
ଏପରିକି ଅନେକଙ୍କ ଗୋଟିଏ ଦୁଇ ମାସର ଚାଉଳ କାଟି ଦିଆଯାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଇଟିଭି ଭାରତ କ୍ୟାମେରା ଦେଖି ଶ୍ରମିକ ଜଣକ ପଞ୍ଚାୟତରେ ତାଲା ପକାଇ ଚମ୍ପଟ ମାରିଥିଲେ । ଏ ଦିଗରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ